ଆୟୁଷ୍ମାନ ଭାରତକୁ ଝଟକା, ଫେବୃଆରୀରୁ ସେବା ବନ୍ଦ କରିବେ ୬୦୦ ହସ୍ପିଟାଲ

ଆୟୁଷ୍ମାନ ଭାରତ ଯୋଜନାକୁ ବଡ଼ ଝଟକା। ୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ ସେମାନଙ୍କ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି। ମାସ ମାସ ଧରି ବିଲ୍ ପଡ଼ି ରହୁଛି। ଫେବୃଆରୀରେ ସେମାନେ ଆଉ ଚିକିତ୍ସା କରିବେ ନାହିଁ।
୨୦୧୮ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତରେ ହରିୟାଣାର ପ୍ରାୟ ୧.୨ କୋଟି ହିତାଧିକାରୀଙ୍କ ପାଇଁ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି। ତେବେ ହସ୍ପିଟାଲଗୁଡ଼ିକ ଦାବି କରିଛନ୍ତି ଯେ ସେମାନଙ୍କ ଦାବିର ମାତ୍ର ୧୦-୧୫% ପରିଶୋଧ କରାଯାଇଛି, ଯେଉଁଥିରେ ଉଲ୍ଲେଖନୀୟ ହ୍ରାସ ଏବଂ ବିଳମ୍ବ ହୋଇଛି, ଯାହା ଫଳରେ ସେବା ଜାରି ରଖିବା ଅସମ୍ଭବ ହୋଇପଡ଼ିଛି।
ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନିଙ୍କ ସହିତ ଆଲୋଚନା ପରେ ବି ଫଳ ଶୂନ। ହରିୟାଣାର ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ପଂଜୀକରଣ କରିଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ ମାଗଣାରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବାର ବ୍ଯବସ୍ଥା ଅଛି। ଯେଉଁ ପରିବାରର ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାରରୁ କମ୍ ହୋଇଥିବ, ସେହି ପରିବାରକୁ ଏହି ସୁବିଧା ମିଳୁଛି। ଏବେ କିନ୍ତୁ ଟଙ୍କା ମିଳୁନଥିବାରୁ ଘରୋଇ ହସପିଟାଲଗୁଡ଼ିକ ଚିକିତ୍ସା କରିବାକୁ ମନା କଲେଣି।
Powered by Froala Editor