ବୀମା ନଥିଲେ ଇ-ଡିଟେକ୍ସନରେ କଟିବ ଇ-ଚାଲାଣ
ଏଣିକି ବୈଧ ଦସ୍ତାବିଜ ନଥିଲେ ମୋଟର ଯାନ ଚଳାଇବା ମହଙ୍ଗା ପଡ଼ିବ । ଯଦି ମୋଟରଯାନର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ନଥିବ ତାହା ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଚିହ୍ନଟ ହେବ । ଏହାସହିତ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ ମଧ୍ୟ ଜାରି ହେବ । ଏହି ନିୟମ ଫେବୃଆରୀ ପହିଲାରୁ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ଫେବୃୟାରୀ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଇନ୍ସ୍ୟୁରାନ୍ସ (ବୀମା) ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଇ-ଚାଲାଣ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, “ମୋଟରଯାନରେ ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ୍ । ରାଜ୍ୟରେ ଥିବା ୨୨ ଟୋଲ ଗେଟରେ ଏହା କାର୍ଯ୍ୟକାରୀ କରାଯିବ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଇ-ଚାଲାଣ ଜାରି ହେବ। ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ କରାଯିବ। ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅନୁସାରେ, ଉଲ୍ଲଙ୍ଘନକାରୀଙ୍କୁ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲଦଣ୍ଡ ପ୍ରାବଧାନ କରାଯାଇଥିବାବେଳେ ପୁନର୍ବାର ନିୟମ ଭାଙ୍ଗିଲେ ୪ହଜାର ଜରିମାନା ସହ ୩ ମାସ ଜେଲଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି।
Powered by Froala Editor