ହଷ୍ଟେଲକୁ ଯାଇଥିଲେ ବାପା, ମା’, ପୁଅର ଝୁଲନ୍ତା ମୃତଦେହ ଦେଖି ହତବାକ୍
ଆଇଆଇଟିରେ ପଢୁଥିବା ପୁଅକୁ ଭେଟିବାକୁ ଯାଇଥିଲେ ମା’-ବାପା। ତେବେ ହଷ୍ଟେଲ ରୁମ୍ କବାଟ ଖୋଲୁ ଖୋଳୁ ପାଦ ତଳୁ ମାଟି ଖସି ଯାଇଥିଲା। ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ଦେଖିବାକୁ ପାଇଥିଲେ ବାପାମା'। ଏଭଳି ଏକ ଘଟଣା ଆଇଆଇଟି ଖଡଗପୁର କ୍ୟାମ୍ପସରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁସାରେ, ଦକ୍ଷିଣ କଲକାତା ନିବାସୀ ଶାଓନ ମଲିକ ଆଇଆଇଟି ଖଡଗପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ର ଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଗତ ଶନିବାର ରାତି ପ୍ରାୟ ୧୧ଟାରେ ସେ ଶେଷ ଥର ଲାଗି ତାଙ୍କ ମା’ଙ୍କ ସହିତ କଥା ହୋଇଥିଲେ। ରବିବାର ସକାଳେ ତାଙ୍କ ମା’-ବାପା ତାଙ୍କୁ ଭେଟିବାକୁ ହଷ୍ଟେଲ ଯାଇଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ସେମାନେ ଆଜାଦ ହଷ୍ଟେଲ ଭିଜିଟର ରେଜିଷ୍ଟରରେ ଦସ୍ତଖତ କରି ପୁଅ ରହୁଥିବା ରୁମକୁ ଯାଇଥିଲେ। ହେଲେ ଭିତରପଟୁ ରୁମ ବନ୍ଦ ରହିଥିଲା।
ଘଟଣା ବିଷୟରେ ଅନ୍ୟମାନେ ଜାଣିବା ପରେ ତୁରନ୍ତ କବାଟକୁ ବାଡ଼େଇ ଭଙ୍ଗାଯାଇଥିଲା। କବାଟ ଭାଙ୍ଗି ଭିତରକୁ ଯିବା ପରେ ଶାଓନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏହା ଦେଖି ତାଙ୍କ ମା’ବାପା ବିଚଳିତ ହୋଇପଡ଼ିଥିଲେ।
ତେବେ ସେ କାହିଁକି ଜୀବନ ହାରିଛନ୍ତି ଏନେଇ ତଦନ୍ତ ଜାରି ରହିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଇଆଇଟି-ଖଡ଼ଗପୁର ପକ୍ଷରୁ କୁହଯାଇଛି ଯେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ତୃତୀୟ ବର୍ଷର ଛାତ୍ରଙ୍କ ଆକସ୍ମିକ ବିୟୋଗରେ ଛାତ୍ର, କର୍ମଚାରୀ ଏବଂ ଅଧ୍ୟାପକମାନେ ଗଭୀର ଶୋକ ପ୍ରକାଶ କରୁଛନ୍ତି।
Powered by Froala Editor