ପ୍ରୟାଗରାଜରେ ଆରମ୍ଭ ହେଲା ମହାକୁମ୍ଭ : ପ୍ରଥମ ଦିନରେ ବୁଡ଼ ପକାଇଲେ ଦେଢ଼ କୋଟି

ଉତ୍ତର ପ୍ରଦେଶର ଧର୍ମନଗରୀ ପ୍ରୟାଗରାଜରେ ଆରମ୍ଭ ହେଉଛି ମହାକୁମ୍ଭ। ପୌଷ ପୂର୍ଣ୍ଣିମା ଅବସରରେ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ସୋମବାର ୧ କୋଟି ୬୫ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ। ଯାହା ଭୋର ୫ଟା ୧୫ରୁ ଆରମ୍ଭ ହୋଇ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇବେ। ତାପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିବ। ତେଣୁ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଅପେକ୍ଷା ଆହୁରି ଦୁଇଗୁଣା ହେବା ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।
ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ପକାଇଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ପ୍ରବଳ ଶୀତ ସତ୍ତ୍ୱେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗିରହିଥିଲା।
୪୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବବୃହତ୍ ମାନବୀୟ ସମାବେଶ ବୋଲି କୁହାଯାଉଛି। ୧୨ ବର୍ଷରେ ଥରେ ପଡ଼ୁଥିବା ଆଧ୍ୟାତ୍ମତିକତା, ବିଶ୍ୱାସ, ସଂସ୍କୃତି, ଧର୍ମ, ପରମ୍ପରା ଏବଂ ଆଧୁନିକ ପ୍ରଯୁକ୍ତିର ମହାମିଳନ ଏହି ମହାକୁମ୍ଭରେ ଦେଶବିଦେଶରୁ ୪୦ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯୋଗଦେବେ ବୋଲି ଆକଳନ କରାଯାଇଛି। ଦୀର୍ଘ ୧୪୪ ବର୍ଷ ପରେ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ୁଥିବା ସନ୍ଥମାନେ ଦାବି କରୁଥିବାରୁ ଏଥର ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି।
Powered by Froala Editor