୬୬ ବର୍ଷରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା। ଏହାପରେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି।
‘ମହେନ୍ଦ୍ର’ ଏକ ପୋଷା ହାତୀ ଥିବା ବେଳେ ୨୦୦୧ ମସିହାରେ କର୍ଣ୍ଣାଟକାରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା। ସେବେଠୁ ଶିମିଳିପାଳରେ ତାକୁ ପ୍ରଶିକ୍ଷଣ ଦିଅଯିବା ସହ ବିଭିନ୍ନ କାର୍ୟ୍ୟରେ ନିୟୋଜିତ କରାଯାଇଥିଲା। ଶିମିଳିପାଳରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ବନବିଭାଗକୁ ସହାୟତା କରୁଥିଲା ମହେନ୍ଦ୍ର ।
ଶିମିଳିପାଳର ଆଖପାଖ ଅଞ୍ଚଳକୁ ହାତୀ ପଲ ପଶି ଆସିଲେ ସେମାନଙ୍କୁ ଘଉଡ଼ାଇବା ନିମନ୍ତେ ମହେନ୍ଦ୍ରକୁ ବ୍ୟବହାର କରାଯାଉଥିଲା। ଏଥିସହ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲକୁ ବନ କର୍ମଚାରୀ ଯିବା ନିମନ୍ତେ ମଧ୍ୟ ମହେନ୍ଦ୍ରର ସହାୟତା ନିଆଯାଉଥିଲା । ଶିମିଳିପାଳରେ ସମସ୍ତ ବନ କର୍ମଚାରୀଙ୍କ ମନ ଜିଣିଥିଲା ମହେନ୍ଦ୍ର। କିଛି ବର୍ଷ ପୂର୍ବେ ସୁନ୍ଦରୀ ନାମ୍ନୀ ବାଘ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା। ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ନିମନ୍ତେ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏହାପରେ ସେଠାରୁ ତାକୁ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣାଯାଇଥିଲା। ସେବେଠୁ ସେ ଶିମିଳିପାଳରେ ଥିଲା।
Powered by Froala Editor