ବିଭିନ୍ନ ନିତି ନିୟମର ତର୍ଜମା କରିବ ଲ’ କମିଶନ

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ଗଠନ କରିଥିବା ଲ’ କମିଶନ ରାଜ୍ୟରେ ଥିବା ଅନାବଶ୍ୟକ ଆଇନ ଖୋଜିବ । ଏନେଇ ଶନିବାର ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏହାଛଡ଼ା ସେ କହିଛନ୍ତି ଯେ ଲ’ କମିଶନ ରାଜ୍ୟର ବିଭିନ୍ନ ନିତି ନିୟମର ତର୍ଜମା କରିବ । ଅନାବଶ୍ୟକ ଆଇନ ଖୋଜିବ । ଦରକାରୀ ନିୟମର ପରିବର୍ତ୍ତନ ଓ ଆବଶ୍ୟକୀୟ ସଂଶୋଧନ କରିବ । ଅନାବଶ୍ୟକ ଆଇନ ବାହାର କରି ଲ’ କମିଶନି ସରକାରଙ୍କୁ ସୁପାରିଶ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟ ସରକାର ଲ’ କମିଶନ ଗଠନ କରିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଆଡ୍ଭୋକେଟ ସୂର୍ୟ୍ୟ ପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଓଡ଼ିଶା ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ଏବଂ ଆଇନ ବିଭାଗ ପ୍ରମୁଖ ସଚିବ ଏକ୍ସ ଅଫିସିଓ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହିତ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର ଲ’ କମିଶନଙ୍କ ମେମ୍ବର ସେକ୍ରେଟାରୀ ଭାବେ ନିଯୁକ୍ତ ହେବେ। ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ଅଧ୍ୟକ୍ଷଙ୍କ କାର୍ୟ୍ୟକାଳ ସର୍ବାଧିକ ୩ ବର୍ଷ ନଚେତ ୭୦ବର୍ଷ ବୟସ ହେବା ପର୍ୟ୍ୟନ୍ତ(ଯେଉଁଟି ଆଗ ପଡ଼ିବ) ବୋଲି ଜଣାପଡ଼ିଛି। ଏହି କମିଟି ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ବିଭିନ୍ନ ରାଜ୍ୟ ଆଇନର ତର୍ଜମା କରି ସେଦିଗରେ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ।
Powered by Froala Editor