ମଉଳିନି ଆଶା: ଓଡ଼ିଶା ଫେରିବ ଡାକୋଟା
ପ୍ରତୀକ୍ଷାର ଅନ୍ତ ହେବ । ଦୀର୍ଘ ୪ ବର୍ଷ ପରେ ଆଶା ଉଜ୍ଜୀବିତ ହୋଇଛି । ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସରକାର ଏଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ବିଜୁବାବୁଙ୍କ ‘ଡାକୋଟା’ ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଛି। ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି। ଡାକୋଟା ଆସିବା ପରେ ଏହାକୁ ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରେ ଏହି ଦୁର୍ଦ୍ଧଷ ବିମାନ ଡାକୋଟା । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ଡାକୋଟା ପଡ଼ି ରହିଛି ।
ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆରପିଏଫ୍ ଅନୁମତି ପାଇଁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯାଇଛି । ସର୍ତ୍ତାବଳୀ ଅନୁସାରେ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର ଡକାଯିବ ।
Powered by Froala Editor