ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ନୂଆ କଳାକାର

ଭୁବନେଶ୍ବର: ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପ୍ରସ୍ତୁତି ବୈଠକ। ଆଉ ବୈଠକରେ ସର୍ବସମ୍ମତିକ୍ରମେ ନିଆଗଲା ବଡ଼ ନିଷ୍ପତ୍ତି। ହୃଷିକେଷ ଭୋଇ ହେବେନି ମହାରାଜ କଂସ। ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଜଣେ ନୂଆ କଳାକାର।
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇ ଜଣେ ସରକାରୀ କର୍ମଚାରୀ। ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ୟ୍ୟ କରନ୍ତି। ଗତ ଅକ୍ଟୋବର ମାସରେ ସେ ଗାଇସିଲାଟ ବ୍ଲକର ଏକ ଗାଁକୁ ମୃତଦେହ ନେଇ ଯାଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ମୃତକଙ୍କ ପରିବାର ଲୋକେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ ଓ ଏନେଇ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କାରଣ ମହାପ୍ରୟାଣ ଗାଡ଼ିରେ ଶବ ନେବା ପାଇଁ କୌଣସି ଦେୟ ଦେବାକୁ ପଡ଼େ ନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେ ଦୋଷମୁକ୍ତ ହୋଇ ନଥିବାରୁ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେଲେ, ତାହା ବରଗଡ଼ ଧନୁଯାତ୍ରାର ମର୍ୟ୍ୟାଦା ଓ ଗାରିମାକୁ ନ୍ୟୁନ କରିବ ବୋଲି ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ପକ୍ଷରୁ କୁହାଯାଇଥିଲା। ଏହା ସହିତ ହୃଷିକେଶଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ନଦେବାକୁ ସେମାନେ ସୁପାରିଶ କରିଥିଲେ, ଯାହାକୁ ଧନୁଯାତ୍ରା କାର୍ୟ୍ୟକାରୀ କମିଟି ଗ୍ରହଣ କରି ନେଇଛି।
Powered by Froala Editor