ପ୍ରେମିକ ସହ ନବବଧୂ ଫେରାର
ବାଲିଅନ୍ତା: ବାହାଘରର ମାତ୍ର ୧୧ ଦିନ ପରେ ଜଣେ ନବବଧୂ ପ୍ରେମିକ ସହ ଫେରାର ହୋଇଯିବା ଓ ପ୍ରେମିକକୁ ପୁଲିସ କାବୁ କରିବା ଘଟଣା ସ୍ଥାନୀୟ କାକରୁଦ୍ରପୁର ଗ୍ରାମ ସମେତ ବ୍ଲକରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କାକରୁଦ୍ରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର (୩୦) ଗତ ୧୬ ତାରିଖରେ ଶ୍ରୀଲିଙ୍ଗରାଜ ଥାନା ଅଧିନ ଗୋଡ଼ିପୋଖରୀ ସାହିରେ ବିବାହ କରିଥିଲେ । ବିବାହ ପରେ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଗତ ୨୭ ତାରିଖ ଦିନ ଦି ପହରରେ ଘରର ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ନବବଧୂ ଜଣକ ଘର ଆଗରେ ଅପେକ୍ଷା କରିଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ । ପରିବାରଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ତାଙ୍କ ବୋହୂକୁ କେହି ଅପହରଣ କରିନେଇଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ବାଲିଅନ୍ତା ଥାନା ପୁଲିସ ଏହାର ତଦନ୍ତ କରି ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହୟତାରେ ସେମାନଙ୍କୁ ଉଦ୍ଧାର କରିଥିଲା । ହେଲେ ନବବଧୂକୁ ତାଙ୍କ ଶାଶୁଘର ଲୋକ ନେବାକୁ ମନା କରିବାରୁ ବାଲିଅନ୍ତା ଥାନା ପୁଲିସ ତାଙ୍କ ବାପଘର ଲୋକଙ୍କ ଜିମା ଦେଇଛି । ସେହିପରି ପୁଲିସ ପ୍ରେମିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Powered by Froala Editor