ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

ସାଲେପୁର: ଦାଦା ପୁଅ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା । ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟତ ଜଗନ୍ନାଥପୁର ଗାଁରେ । ମୃତକ ହେଲେ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ । ପୁଲିସ୍ ଅଭିଯୁକ୍ତ ବିଷ୍ଣୁ ସ୍ୱାଇଁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୁଲିସ୍ କହିବା ଅନୁଯାୟୀ, ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି କାରଣ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ଅଭିଯୁକ୍ତ ବିଷ୍ଣୁ ସ୍ୱାଇଁ ଓ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଖୁବ୍ ଶୀଘ୍ର ସବୁ ସତ୍ୟାସତ୍ୟ ଜଣାପଡ଼ିବ ।
ବିଷ୍ଣୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଗୌରଙ୍ଗ ବିବାହିତ ହୋଇ ମଧ୍ୟ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଫୋନ୍କୁ ବାରମ୍ବାର ମେସେଜ ପଠାଉ ଥିଲେ । ଏନେଇ ତାଙ୍କୁ ଅନେକ ଥର ବାରଣ ମଧ୍ୟ କରାଯାଇଛି । ହେଲେ କିଛିଦିନ ଚୁପ୍ ରହିବା ପରେ ପୁଣି ହଇରାଣ କରିବା ଆରମ୍ଭ କରି ଦେଉଥିଲେ ।
ମଙ୍ଗଳବାର ସଂଧ୍ୟାରେ ବାଡିରେ ପଶି ତାଙ୍କୁ ଟଣା ଓଟରା କରିଥିଲେ । ଏହା ଜାଣିବା ପରେ ବିଷ୍ଣୁ ରାଗି ଯାଇଥିଲେ । ଟାଙ୍ଗିଆରେ ଗୋଡାଇ ଗୋଡାଇ ଗୌରାଙ୍ଗଙ୍କୁ ହତ୍ୟା କରିଥିଲେ ।
Powered by Froala Editor