୨୫ରୁ ଅଧିକ ହୋଟେଲକୁ ବୋମା ଧମକ

ବିମାନ ପରେ ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଦୀପାବଳି ପୂର୍ବରୁ ଏପରି ବୋମା ଧମକ ମିଳିଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ୩୦ରେ ଏହି ମେଲ୍ ଆସିଥିଲା। Sandyhookchildkilling@outlook.com ମେଲ୍ ଆଇଡିରେ ମେସେଜ୍ ଆସିଥିଲା। ମେଲର ସବଜେକ୍ଟରେ 'ହୋଟେଲରେ ବୋମା' ଲେଖା ଯାଇଥିଲା। ହୋଟେଲରେ ବୋମା ଥିବା କହି ୫୫ ହଜାର ଡଲାର ଦାବି କରିଛନ୍ତି ଦୁର୍ବୃତ୍ତ।
ମେଲରେ ଲେଖାଥିଲା, "ହୋଟେଲ୍ ଭିତରେ ଏକ କଳା ବ୍ୟାଗରେ ବୋମା ରହିଛି। ମୁଁ ୫୫,୦୦୦ ଡଲାର ଚାହୁଁଛି, ନଚେତ୍ ବୋମା ବିସ୍ଫୋରଣ କରିଦେବି, ଚାରିଆଡେ ରକ୍ତ ରଞ୍ଜିତ ହୋଇଯିବ। ବୋମାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବ ତ, ବିସ୍ଫୋରଣ ହେବ। ବଞ୍ଚିବାକୁ ଚାହୁଁଥିଲେ ଏହି ଆଇଡିରେ shaikha.nasser20077@gmail.com ଯୋଗାଯୋଗ କରନ୍ତୁ।"
ଇମ୍ପରିଆଲ ପ୍ୟାଲେସ, ସାୟାଜୀ, ଦ ସେଣ୍ଟୋସା, କେ.କେ ବିକନ, ହୋଟେଲ ଭାବା, ହୋଟେଲ ପାରାମାଉଣ୍ଟ ଇନ୍, ହୋଟେଲ ଜ୍ୟୋତି, ଏଲିମେଣ୍ଟସ, ଦ ଗ୍ରାଣ୍ଡ୍ରେଜେନ୍ସି ଏବଂ ସିଜନକୁ ଇମେଲ୍ରେ ଧମକପୂର୍ଣ୍ଣ ମେସେଜ ଆସିଛି। ଏହା ପରେ ବଡ଼ବଡ଼ ହୋଟେଲରେ ଯାଞ୍ଚ କଡ଼ାକଡ଼ି କରାଯାଉଛି।
Powered by Froala Editor