ବାତ୍ୟା ପୂର୍ବରୁ ପଦକ୍ଷେପ ; ୨୪ ଓ ୨୫ ତାରିଖ ଭକ୍ତଙ୍କୁ ପୁରୀ ଯିବାକୁ ମନା

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏହାସହିତ ୨୪ ଓ ୨୫ ତାରିଖ ଭକ୍ତଙ୍କୁ ପୁରୀ ଯିବାକୁ ମନା ହୋଇଛି । ଆଉ ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କହିଛନ୍ତି । ଯେଉଁମାନେ ପୁରୀ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ ସରକାର ପରାମର୍ଶ ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସବୁପ୍ରକାରର ପଦକ୍ଷେପ ନେଉଛନ୍ତି । ବାତ୍ୟାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିଲେ ମଧ୍ୟ ପୁରୀ ସହରରୁ ଆସନ୍ତାକାଲିଠୁ ପର୍ଯ୍ୟଟକମାନଙ୍କୁ ନିଜ ନିଜ ଘରକୁ ଫେରିବାକୁ ପରାମର୍ଶ ଦିଆଯାଇଛି । ତା’ସହିତ ବାତ୍ୟା ଆଶଙ୍କା ଦୂର ନହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନଯିବେ ସେଥିପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁମାନେ ପୁରୀରେ ରହିବେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ସେପଟେ ବାତ୍ୟା ମୁକାବିଲା ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ‘ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, ଭୟଭୀତ ହୁଅନ୍ତୁନି । ଜିରୋ କାଜୁଆଲିଟି ଆମ ମିଶନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଶତପ୍ରତିଶତ ସ୍ଥାନାନ୍ତରଣ କରାଯିବ ।
Powered by Froala Editor