ବର୍ଷାଜଳ ଅମଳ ବ୍ୟବସ୍ଥା କରିବାକୁ ୟୁଜିସିର ନିର୍ଦ୍ଦେଶ
ଭୁବନେଶ୍ବ: ଭୂତଳ ଜଳସ୍ତର ବୃଦ୍ଧି ଦିଗରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ପଦକ୍ଷେପ ନେବେ। କ୍ୟାମ୍ପସରେ ବର୍ଷା ଜଳ ଅମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୁରୁଣା ଭିତ୍ତିଭୂମି ସଜାଡ଼ିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେତେଶୀଘ୍ର ସମ୍ଭବ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଦିଗରେ ପଦକ୍ଷେପ ନେଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ‘ଜଳ ସଞ୍ଚୟ ଜଳ ଭାଗିହାରୀ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଅଧୀନରେ ସମସ୍ତ ମୁଖ୍ୟାଳୟ, ନିର୍ଦ୍ଦେଶାଳୟ, ଆଞ୍ଚଳିକ କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟ, ସଂଲଗ୍ନ ଓ ଅଧୀନ କାର୍ଯ୍ୟାଳୟ, କର୍ପୋରେସନ, ସ୍ବୟଂଶାସିତ ସଂସ୍ଥା, ତାଲିମ ଅନୁଷ୍ଠାନ, କର୍ମଚାରୀ କ୍ବାର୍ଟର ଓ ଫିଲ୍ଡ ୟୁନିଟ୍ରେ ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଉ। ଏହାଦ୍ବାରା ଭୂତଳ ଜଳସ୍ତର ବୃଦ୍ଧି ପାଇବ।
କ୍ୟାମ୍ପସରେ ଆଗରୁ ଯେଉଁ ଭିତ୍ତିଭୂମି ରହିଛି ତାହାର ପରିଚାଳନା, ସଫେଇ ଉପରେ ଧ୍ୟାନ ଦେବାକୁ ହେବ। ଶିକ୍ଷାନୁଷ୍ଠାଗୁଡ଼ିକ ନିଜସ୍ବ ସମ୍ବଳରୁ ଏହାକୁ ତିଆରି କରିବେ ନ ହେଲେ କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସବିଲିଟି(ସିଏସ୍ଆର) ପାଣ୍ଠିର ସହାୟତା ନେଇପାରିବେ। ଏଥିସହ ଅଳ୍ପ ଖର୍ଚ୍ଚରେ କିଭଳି ବର୍ଷା ଜଳ ଅମଳ ଭିତ୍ତିଭୂମି ତିଆରି କରାଯାଇପାରିବ ସେନେଇ ଅନ୍ୟାନ୍ୟ ଅଂଶୀଦାର ଓ ସାଧାରଣ ଜନତାଙ୍କୁ ପରାମର୍ଶ ଦେବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ଲାଗୁ କରିବାକୁ କୁହାଯାଇଛି। ଅଭିଯାନକୁ ହାଲୁକା ଭାବେ ନ ନେଇ ମିସନ ମୋଡ୍ରେ ଗ୍ରହଣ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। କାର୍ଯ୍ୟକ୍ଷମ ଥିବା ଭିତ୍ତିଭୂମିକୁ ସଜାଡ଼ିବା ସହ ଯେତେଶୀଘ୍ର ସମ୍ଭବ ନୂଆ ଭିତ୍ତିଭୂମି ନିର୍ମାଣ କରିବାକୁ କୁହାଯାଇଛି। ଏଥିସହ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ବାରା ଭୂତଳ ଜଳସ୍ତର ବୃଦ୍ଧି, ଜଳ ସଂରକ୍ଷଣକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ। ଜଳର ଗୁଣବତ୍ତା ମଧ୍ୟ ବୃଦ୍ଧି ପାଇବ। ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ବ୍ୟତୀତ ସ୍କୁଲ, ହଷ୍ଟେଲ, ଅଙ୍ଗନବାଡ଼ି ପ୍ରଭୃତି ସ୍ଥାନରେ ଜଳ ସଂରକ୍ଷଣ ସହ ବର୍ତ୍ତମାନ ଥିବା ଭୂତଳ ଜଳ ଭିତ୍ତିଭୂମିର ମରାମତି, ପୁନଃରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ସୂଚନା ଅନୁଯାୟୀ ଜଳ ନିଅଣ୍ଟିଆ ଥିବା ଦେଶର ୨୫୬ ଜିଲ୍ଲାର ୨,୮୩୬ ବ୍ଲକ ମଧ୍ୟରୁ ୧୫୯୨ଟି ପାଇଁ ୨୦୧୯ରେ ଜଳ ଶକ୍ତି ଅଭିଯାନ(ଜେଏସ୍ଏ)ର ଶୁଭାରମ୍ଭ ହୋଇଥିଲା। ୨୦୨୦ରେ କୋଭିଡ୍ ପାଇଁ ସାରା ଦେଶରେ ଜେଏସ୍ଏ ଲାଗୁ କରାଯାଇପାରି ନ ଥିଲା। ଏହାପରେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ‘ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦି ରେନ୍’ର ଶୁଭାରମ୍ଭ ହୋଇଥିଲା। ଯେଉଁଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଜିଲ୍ଲାର ବ୍ଲକଗୁଡ଼ିକୁ ସାମିଲ କରାଯାଇଥିଲା। ୫ମ ସଂସ୍କରଣରେ ‘ନାରୀ ଶକ୍ତି ସେ ଜଳ ଶକ୍ତି’ ଥିମ୍କୁ ନେଇ ଗତ ମାର୍ଚ୍ଚ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ୟୁଜିସି ପକ୍ଷରୁ କୁହାଯାଇଛି।
Powered by Froala Editor