ପେନ୍କିଲର ଦେଇ ଆମ ପୁଅକୁ ମାରିଦେଲେ !
ଚିକିତ୍ସା ଅବହେଳାରୁ ଖଲ୍ଲିକୋଟର ଜଣେ ଇଂଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ହୋଇଥବବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହେଲେ ବଧିନୂଆପଲ୍ଲୀ ପଞ୍ଚାୟତର ନୂତନ ଘୁମୁସର ଗ୍ରାମର ତୁଷାର ପାତ୍ର । ୧୭ ବର୍ଷୀୟ ତୁଷାରଙ୍କ ଖଲ୍ଲିକୋଟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତୁଷାର ପରିବାର ଲୋକଙ୍କ କହିବାନୁଯାୟୀ, ତୁଷାର ବ୍ରହ୍ମପୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ବେଳେ ପରିବାର ଲୋକଙ୍କ ସହ ପୁରୀ ଯିବା ପାଇଁ ମଙ୍ଗଳବାର ଗାଁକୁ ଆସିଥିଲେ । ଘରେ ଶୋଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ପେନ୍ କିଲର୍ ଦେଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେଫର କରିଥିଲେ ଡାକ୍ତର । କ’ଣ ଔଷଧ ଦିଆଯାଇଛି ବୋଲି ପଚାରିବାରୁ ଡାକ୍ତର ପ୍ରେସ୍କ୍ରିପ୍ସନ୍ ଚିରି ଦେଇଥିଲେ । ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତୁଷାଙ୍କ ଜୀବନ ଚାଲିଯାଇଥିଲା ।
ତେବେ ପରିବାର ଲୋକଙ୍କ ଏଭଳି ଅଭିଯୋଗକୁ ମେଡିକାଲ ଅଫିସର ଡା. ପ୍ରଦୀପ କୁମାର ଗନ୍ତାୟତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପାଢ଼ି । ସବୁ ହସ୍ପିଟାଲକୁ ଆଣ୍ଟି ସ୍ନେକ୍ ଭେନନ୍ ଦିଆଯାଇଛି । ଘଟଣାର ତଦନ୍ତ ପରେ କ’ଣ ହୋଇଛି ଜଣାପଡି଼ବ ବୋଲି ସେ କହିଛନ୍ତି ।
Powered by Froala Editor