ବ୍ୟାଙ୍କ ଲୁଟିବାକୁ ଯୋଜନା କରୁଥିଲେ, ମାଡ଼ି ବସିଲା ପୋଲିସ

ଦିଗପହଣ୍ଡି ଥାନା ପୋଲିସ ୫ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ବୋମା ସମେତ ବହୁ ମାରଣାସ୍ତ୍ର ଜବତ କରିଛି । ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା କାଶି ବିଶ୍ବନାଥ ମନ୍ଦିର ଯିବା ରାସ୍ତାରେ କମଳାପୁର ଛକ ନିକଟରେ ଏହି ଡକାୟତି ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କାଳିଆ ସାହୁ (୨୯) , ସନ୍ତୋଷ ସାହୁ (୩୨) ବିକାଶ ମହାପାତ୍ର (୩୪) , ବାଦଲ ନାଇକ (୧୯) , ପିଣ୍ଟୁ ବେହେରା (୨୮) ରହିଥିବା ବେଳେ ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ।
ରବିବାର ସଟଡାଉନ କଟକଣା ଜାରି ରହିଥିବା ବେଳେ ରାତି ପ୍ରାୟ ସାଢେ଼ ଗୋଟାଏ ସମୟରେ ଦିଗପହଣ୍ଡି ପୋଲିସ ଏସ୍ ଆଇ ମାଧବ ଚନ୍ଦ୍ର ଟାକିରୀ ଓ କର୍ମଚାରୀମାନେ କଇଠଖଣ୍ଡି , ତଲାସିଙ୍ଗି, ଭୂଷୁଣ୍ଡା ଆଦି ଗ୍ରାମରେ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ କମଳାପୁର ଛକ ନିକଟବର୍ତ୍ତୀ ଏକ ଗଛ ମୂଳରେ ଅଭିଯୁକ୍ତମାନେ ତଲାସିଙ୍ଗି ଏସବିଆଇ ବ୍ୟାଙ୍କକୁ ଲୁଟିବା ପାଇଁ ଯୋଜନା କରୁଥିଲେ । ଦିଗପହଣ୍ଡି ପୋଲିସ ଏହି ବାଟରେ ଯିବା ସମୟରେ ଡକାୟତି ଗ୍ୟାଙ୍ଗଙ୍କ କଥା ଶୁଣିଥିଲେ । ଏହାପରେ ପୋଲିସ ଚାରିପଟେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଘେରାଉ କରିଥିଲା । ଅଭିଯୁକ୍ତ ମାନେ ପୋଲିସକୁ ଚକମା ଦେବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ପୋଲିସ କବଜାରୁ ବର୍ତ୍ତି ପାରିନଥିଲେ । ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଡକାୟତି ଯୋଜନା ନିମନ୍ତେ ବ୍ୟବହାର କରିଥିବା ବୋମା , ଲୁହାରଡ , ଲୁହା ପାଇପ , ୫ ଗୋଟି ମୋବାଇଲ ସମେତ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା ।
Powered by Froala Editor