ଘୁଞ୍ଚିବନି ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବା ନାହିଁ କୌଣସି ଦ୍ୱନ୍ଦ୍ୱ ନାହିଁ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ସେ କହିଛନ୍ତି ଯେ, ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ । ତେବେ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ କିଛି ସ୍ଥିର ହୋଇନାହିଁ । ଯେହେତୁ ନବମ କ୍ଲାସ ବନ୍ଦ ରହିଛି । ପରୀକ୍ଷା କଥା ସ୍ଥିର ହୋଇନି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ସୂଚନାଯୋଗ୍ୟ,ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ୟ୍ୟନ୍ତ ଚାଲିବ । ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିଲାବେଳେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦୁଇ ପର୍ୟ୍ୟାୟରେ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିକ୍ରମରେ ଏଥର ବୋର୍ଡ ପକ୍ଷରୁ ୪୦ଟି ସ୍କ୍ୱାଡ୍ ଗଠନ କରାଯାଇଥିଲାବେଳେ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କ ଦ୍ୱାରା ମୋଟ୍ ୧୦୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଏହି ସ୍କ୍ୱାଡ୍ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଏବଂ ସେଣ୍ଟର୍ ଉପରେ ନଜର ରଖିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓଙ୍କ) ସ୍ତରରେ ଗଠିତ ସ୍କ୍ୱାଡ୍ରେ ଓଇଏସ୍ ଅଫିସର ଏବଂ ବରିଷ୍ଠ ଶିକ୍ଷକଙ୍କ ସମେତ କଲେଜ୍ର ବରିଷ୍ଠ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି ।