‘ଫର୍ଜି’ ଷ୍ଟାଇଲ୍ରେ ସୁନା ଲୁଟିନେଲେ : ନୋଟ୍ରେ ଗାନ୍ଧୀ ବଦଳରେ ଅନୁପମ୍ ଫଟୋ
୫ଶହ ଟଙ୍କିଆ ନୋଟରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମଙ୍କ ଫଟୋ ଲାଗିଥିବା ନୋଟ୍ ଦେଇ ଠକି ନେଲେ ୨ କିଲୋ ସୁନା। ଏଭଳି କିଛି ଅଭିଯୋଗ ଆସିଛି ଗୁଜୁରାଟ ଅହମ୍ମଦାବାଦରୁ।ସବୁଠାରୁ ବଡ଼ କଥା ହେଲା ଚୋରମାନେ ଶାହିଦ କପୁରଙ୍କ ଓ୍ବେବ୍ ସିରିଜ୍ ‘ଫର୍ଜି’ ଦେଖି ଠିକ୍ ସେଭଳି ଷ୍ଟାଇଲରେ ଆପଣେଇଛନ୍ତି ଠକେଇ ଷ୍ଟାଇଲ।
ଗୁଜୁରାଟ ଅହମ୍ମଦାବାର ସରାଫା ବଜାରରେ ୨୩ ସେପ୍ଟେମ୍ବରରେ ମେହୁଲଙ୍କୁ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜରଙ୍କ ଏକ କଲ୍ ଆସିଥିଲା। ତାଙ୍କୁ ପଚାରିଥିଲେ ୨ କିଲୋ ୧୦୦ ଗ୍ରାମ୍ ସୁନା କିଣିବାର ଅଛି, ତା’ର ଦାମ୍ କେତେ ? ମେହୁଲ ୧୫ ବର୍ଷ ହେବ ଲକ୍ଷ୍ମୀ ଜୁଏଲର୍ସ ସହ ବ୍ୟବସାୟ କରୁଛନ୍ତି, ସେ ଭରସାର ସହ ୧.୬୦ କୋଟି ଟଙ୍କାରେ ଡିଲ୍ କରିଥିଲେ। ତା ପରଦିନ ସେ ସୁନା ପଠାଇବାର ପ୍ରତିଶୃତି ମଧ୍ୟ ଦେଇଥିଲେ। ୨୪ ସେପ୍ଟେମ୍ବରରେ ମେହୁଲଙ୍କୁ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜର ଫୋନ୍ କରି କହିଥିଲେ, ଜଣଙ୍କୁ ସୁନା ତୁରନ୍ତ ଦରକାର ଓ ଆରଟିଜିଏସ୍ ଚାଲୁନି, ତେଣୁ ସୁନା ବଦଳରେ ସିକ୍ୟୁରିଟି ଆମାଉଣ୍ଟ ଦେବେ ତା ପରେ ଦ୍ବିତୀୟ ଦିନ ଆରଟିଜିସିରେ ଟଙ୍କା ପଠାଇ ଦେବେ। ଏହା ସହ କହିଥିଲେ ସୁନା କିଣୁଥିବା ବ୍ୟକ୍ତି ସିଜି ରୋଡ୍ ରେ ଥିବେ।
ଏହାପରେ ମେହୁଲ ତାଙ୍କର ଜଣେ ଷ୍ଟାଫଙ୍କୁ ୨ କେଜି ୧୦୦ ଗ୍ରାମ୍ ସୁନା ଦେଇକି ସିଜି ରୋଡ୍କୁ ପଠାଇଥିଲେ। ଘଟଣାସ୍ଥଳରେ ତିନି ଜଣ ବ୍ୟକ୍ତି ଥିଲେ, ତାଙ୍କ ଭିତରୁ ଜଣଙ୍କ ପାଖରେ ନଗଦ ଟଙ୍କା ଗଣିବାର ମେସିନ୍ ଥିଲା। ସୁନା କିଣୁଥିବା ଦୁଇ ବ୍ୟକ୍ତି ୧.୩୦ କୋଟି ଟଙ୍କାର ନୋଟ୍ ସିକ୍ୟୁରିଟି ଡିପୋଜିଟ୍ ଭାବରେ ରଖିଥିଲେ ଓ କହିଥିଲେ ଆପଣ ସୁନା ଦିଅନ୍ତୁ। ଏହାପରେ ବାକି ୩୦ ଲକ୍ଷ ଟଙ୍କା ଆଉ ଏକ ଅଫିସରୁ ଆଣିକି ଦେବୁ। ମେହୁଲଙ୍କ ଷ୍ଟାଫ୍ ସୁନା ଦେବାପରେ ଯେତେବେଳେ ନୋଟ୍ ଦେଖିଥିଲେ ତାହା ନକଲି ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ନୋଟ୍ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିଲା।
ଖବର ପାଇବା ମାତ୍ରେ ମେହୁଲ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜରଙ୍କୁ କଲ୍ କରିଥିଲେ, ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିଲା। ଏହାପରେ ଠକେଇ ହୋଇଥିବା ଜାଣି ସୁନା ବ୍ୟବସାୟୀ ମେହୁଲ ନବରଙ୍ଗପୁରା ପୋଲିସ ଷ୍ଟେସନ୍ ରେ ଅଭିଯୋଗ କରିଥିଲେ।
Powered by Froala Editor