ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ୪ଟି ଜାଗାରେ ଚଢ଼ାଉ
ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥିକ ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଇଡି ସ୍କାନରରେ। ଇଡି ପକ୍ଷରୁ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ସମୁଦାୟ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରୁ ଦୁଇଟି ସ୍ଥାନ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଏହାବାଦ ଜଣେ ମେଡିକାଲ ଉପକରଣ ବିକ୍ରେତାଙ୍କ କାର୍ୟ୍ୟାଳୟ ଓ ଘର ଉପରେ ଚଢ଼ାଉ କରାଯାଇଛି।
ସନ୍ଦୀପ ଘୋଷଙ୍କ ନାଁରେ ପୂର୍ବରୁ ହସ୍ପିଟାଲରେ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଇଡି ବିଭିନ୍ନ ସ୍ଥାନରେ ରେଡ କରି ସାରିଥିବା ବେଳେ ଆଜି ସନ୍ଦୀପ ଘୋଷଙ୍କ ପିତାଙ୍କ ଘର ସମେତ ୪ ଜାଗାରେ ରେଡ କରିଛି।
ଡା. ସନ୍ଦୀପ ଘୋଷ ୨୦୨୧ ମସିହା ଫେବୃୟାରୀରୁ ୨୦୨୩ ମସିହା ସେପ୍ଟେମ୍ବର ପର୍ୟ୍ୟନ୍ତ ଆରଜି କର ହସ୍ପିଟାଲର ପ୍ରିନ୍ସିପାଲ ଭାବେ କାର୍ୟ୍ୟରତ ଥିଲେ। ଉକ୍ତ ବର୍ଷ ଅକ୍ଟୋବରରେ ତାଙ୍କର ବଦଳି ହୋଇଥିଲା। ମାତ୍ର ସେ ପୁଣି ମାସେ ମଧ୍ୟରେ ଆରଜି ହସ୍ପିଟାଲକୁ ଫେରି ଆସିଥିଲେ। ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲା ପର୍ୟ୍ୟନ୍ତ ସେ ନିଜ ପଦରେ ରହିଥିଲେ।ମାତ୍ର ଏହାପରେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦର ସ୍ୱର ଉଠିଥିଲା। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ୨ ତାରିଖରେ ସିବିଆଇ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଥିଲା।
Powered by Froala Editor