୭୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମିଳିବ ‘ଆୟୁଷ୍ମାନ ଯୋଜନା’ର ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା
ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ‘ଆୟୁଷ୍ମାନ ଯୋଜନା’ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୪.୫ କୋଟି ପରିବାରର ମାଗଣା ସ୍ୱାସ୍ଥ୍ୟ ବୀମା କଭର ସହିତ ୬ କୋଟି ବରିଷ୍ଠ ନାଗରିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା କଭର ପାଇବେ। ସରକାର କହିଛନ୍ତି ଯେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଏକ ନୂତନ ପୃଥକ କାର୍ଡ ପ୍ରଦାନ କରାଯିବ।
ସେମାନଙ୍କ ଆର୍ଥିକ ସ୍ଥିତି ଯାହା ହେଉ ନା କାହିଁକି, ସେମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏପରି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ଗୋଟିଏ ବିବୃତିରେ କହିଛନ୍ତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ-ଜେଏୱାଇ) ୪.୫ କୋଟି ପରିବାରକୁ ଫାଇଦା ଦେବେ। ଯଦି ବରିଷ୍ଠ ନାଗରିକମାନେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ଅଛନ୍ତି, ତେବେ ଆୟୁଷ୍ମାନ ଭାରତକୁ ଯିବାର ବିକଳ୍ପ ସେମାନଙ୍କ ପାଖରେ ରହିବ। ବରିଷ୍ଠ ନାଗରିକ, ଯାହାର ପରିବାର ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅଂଶୀଦାର ଟପ୍-ଅପ୍ କଭର ପାଇଁ ଯୋଗ୍ୟ ହେବେ।
Powered by Froala Editor