ଓକିଲଙ୍କ ଉପରେ ରାଗିଗଲେ ବିଚାରପତି କହିଲେ, ଆଓ୍ବାଜ୍ ତଳକୁ କରନ୍ତୁ
କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ବିଜେପିରେ ମିଶିଥିବା ଓକିଲ ଜଣଙ୍କ ଉଚ୍ଚ ସ୍ୱରରେ ବାରମ୍ବାର ଶୁଣାଣିରେ ହସ୍ତକ୍ଷେପ କରିବାରୁ ତାଙ୍କ ଉପରେ ଚିଢ଼ି ଯାଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼।
ଓକିଲ ତାଙ୍କ ମତ ରଖିବାକୁ ଯାଇ ଉଚ୍ଚ ସ୍ବରରେ କହୁଥିଲେ, ଯେଉଁଥିରେ ସିଜେଆଇ ରାଗିଯାଇଥିଲେ। ତାଙ୍କୁ ସେ ସ୍ୱର କମ କରିବାକୁ ତାଗିଦ କରିବା ସହ ସେ ବିଚାରପତିଙ୍କୁ ସମ୍ବୋଧନ କରୁଛନ୍ତି ନା କୋର୍ଟ ବାହାରେ ଥିବା ଗ୍ୟାଲେରୀକୁ ସମ୍ବୋଧନ କରୁଛନ୍ତି ବୋଲି ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ଅତ୍ୟନ୍ତ କ୍ଷୁବ୍ଧ ହୋଇ ପ୍ରଶ୍ନ କରିଛନ୍ତି।
ସିଜେଆଇ ଚନ୍ଦ୍ରଚୁଡ଼ଙ୍କ ସହିତ ଜଷ୍ଟିସ ଜେ.ବି. ପାରଦୀୱାଲା ଏବଂ ଜଷ୍ଟିସ ମନୋଜଙ୍କ ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ବରିଷ୍ଠ ଓକିଲ କପିଲ ସିବଲ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦଲିଲ ଉପସ୍ଥାପନ କରିଥିଲେ। ଏହି ସମୟରେ ଜଣେ ଓକିଲ ନିଜର ମତ ପ୍ରକାଶ କରିବାକୁ ଜୋରରେ କହିବା ଆରମ୍ଭ କରିଥିଲେ। ଏହା ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ତାଙ୍କୁ ବାଧା ଦେଇ କହିଥିଲେ, ଆପଣଙ୍କ ଆଓ୍ବାଜ୍ ତଳକୁ କରନ୍ତୁ। ସିବଲ ବର୍ତ୍ତମାନ ବଙ୍ଗଳା ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରୁଛନ୍ତି।
Powered by Froala Editor