ଦିଲ୍ଲୀରେ ଫୁଟିବନି ବାଣ, ସବୁଜ ବାଣ ବି ବ୍ୟାନ
ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ବାଣକୁ ବ୍ୟାନ କରାଯାଇଛି । ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଅନଲାଇନ୍ରେ ବାଣ ବିକ୍ରୟ ତଥା ବିତରଣ ଉପରେ ପ୍ରତିବନ୍ଧକ ଜାରି ରହିବ। ଦିଲ୍ଲୀରେ କେହି ବି ବାଣ ତିଆରି, ବିକ୍ରି ଓ ବ୍ୟବହାର କରିପାରିବେ ନାହିଁ।
ସବୁଜ ବାଣର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ। ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାନୁଆରୀ ୧ ଯାଏ ବାଣକୁ ବ୍ୟାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଗକୁ ଦୀପାବଳି ଆସୁଥିବା ବେଳେ ଦିଲ୍ଲୀ ସରକାରଙ୍କ ଏପରି ନିଷ୍ପତ୍ତି ସାମ୍ନାକୁ ଆସିଛି।
ଏହି ପ୍ରତିବନ୍ଧକକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଦିଲ୍ଲୀ ପୁଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହଯୋଗରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଗୋପାଳ ରାୟ କହିଛନ୍ତି।
ଗତ ବର୍ଷ ମଧ୍ୟ ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣବିକ୍ରି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଶୀତଦିନେ ସମସ୍ତ ବାଣର ବିକ୍ରୟ ତଥା ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor