ବ୍ୟାପକ ଲାଂଚ କାରବାର, ହିଣ୍ଡାଲକୋ ବିରୁଦ୍ଧରେ ସିବିଆଇର ଏଫଆଇଆର ରୁଜୁ
ଭୁବନେଶ୍ୱର:ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ତଳବିରା କୋଇଲା ଖଣି ପାଇଁ ବାଧ୍ୟତାମୂଳକ ପରିବେଶ ଅନୁମତି ହାସଲ ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପର ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ହିଣ୍ଡାଲକୋ ବ୍ୟାପକ ଲାଂଚ କାରବାର କରିଥିବାର ପ୍ରାରମ୍ଭିକ ପ୍ରମାଣ ଆଧାରରେ ସିବିଆଇ ଏଫଆଇଆର ରୁଜୁ କରିଛି । ପରିବେଶ ଅନୁମତି ପାଇଁ ହିଣ୍ଡାଲକୋ ମୋଟା ଅଙ୍କର ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଦେଇଥିବା ନେଇ ଅଭିଯୋଗ ଆସିବା ପରେ ୨୦୧୬ ମସିହାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ଏବେ ପ୍ରାୟ ଦୀର୍ଘ ୮ବର୍ଷ ପରେ ସିବିଆଇ ଏହି ଅଭିଯୋଗ ଉପରେ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ, ତତକାଳୀନ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଟି ଚାନ୍ଦିନୀଙ୍କ ବିରୁଦ୍ଧରେ ମଧ୍ୟ ସରକାରୀ ଗାଇଡଲାଇନକୁ ଉଲ୍ଲଘଂନ କରି ଝାରସୁଗୁଡ଼ାର ଅତ୍ୟଧିକ ପ୍ରଦୂଷିତ ଅଂଚଳରେ ତଳବିରା-୧ କୋଇଲା ଖଣିରେ ଖନନର ଅନୁମତି ଦେବା ପାଇଁ ଏକ୍ସପର୍ଟ ଆପ୍ରାଇଜାଲ କମିଟି(ଇଏସି)ର ସଦସ୍ୟ ସଚିବ ଭାବେ କମ୍ପାନୀ ସପକ୍ଷରେ ମତ ରଖିଥିବାର ପ୍ରମାଣ ମଧ୍ୟ ସିବିଆଇକୁ ମିଳିଛି । ଆଦିତ୍ୟ ବିର୍ଲା ଗ୍ରୁପର ଏହି କମ୍ପାନୀ ତଳବିରା କୋଇଲା ଖଣି ପାଇଁ ପରିବେଶ ଅନୁମତି ହାସଲ କରିବାକୁ ୨୦୧୧ରୁ ୨୦୧୩ ମସିହା ମଧ୍ୟରେ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ବ୍ୟାପକ ଲାଂଚ ଦେଇଥିବାର ଅଭିଯୋଗ ଉପରେ ସିବିଆଇ ୨୦୧୬ ମସିହାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ଆଉ ଏହି ପ୍ରାରମ୍ଭିକ ତଦନ୍ତର ୮ବର୍ଷ ପରେ ସିବିଆଇ ଏବେ ମାମଲା ରୁଜୁ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ୨୦୦୬ ମସିହାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ ସମସ୍ତ ନୂଆ ପ୍ରକଳ୍ପ, ବର୍ତ୍ତମାନ ପ୍ରକଳ୍ପର ସମ୍ପ୍ରସାରଣ ଓ ଉତ୍ପାଦ ୟୁନିଟରେ ପରିବର୍ତ୍ତନ ଆଦି ପାଇଁ ପରିବେଶ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ ପ୍ରକଳ୍ପକୁ ଆଗୁଆ ପରିବେଶ ଅନୁମତିର ଆବଶ୍ୟକତା ଥିଲା, ସେଗୁଡ଼ିକୁ ବିଭିନ୍ନ ବିଶେଷଜ୍ଞ ବିଶିଷ୍ଟ କମିଟି(ଇଏସି) ମାଧ୍ୟମ ଦେଇ ଯିବାକୁ ପଡ଼ୁଥିଲା । ଇଏସିଙ୍କ ସୁପାରିଶ ଆଧାରରେ ନିୟାମକ ପ୍ରାଧିକରଣ ଏହି ପରିବେଶ ଅନୁମତି ଦେଉଥିଲେ।
Powered by Froala Editor