କୋଚିଂ ଲାଇବ୍ରେରୀରେ ପଶିଆସିଲା ଡ୍ରେନ ପାଣି, ୩ ୟୁପିଏସ୍ଇ ଆଶାୟୀ ମୃତ

ଦିଲ୍ଲୀର ଏକ କୋଚିଂ ସେଣ୍ଟର ଭିତରକୁ ହଠାତ୍ ନାଳ ପାଣି ମାଡ଼ି ଆସିବାରୁ ୩ ଜଣ ୟୁପିଏସ୍ସି ଆଶାୟୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଏବଂ ଜଣେ ପୁଅ ରହିଛନ୍ତି । ସେମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶର ଶ୍ରେୟା ଯାଦବ (୨୫) ଏବଂ କେରଳର ନବୀନ ଡେଲଭିନ୍ (୨୮)। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau’s ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଘଟଣା ଘଟିଛି। ଦୀର୍ଘ ୪ ଘଣ୍ଟା ଧରି ପାଣିରେ ଫସି ରହିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ରାଉସ୍ କୋଚିଂ ସେଣ୍ଟରର ତଳ ମହଲାରେ ହଠାତ୍ ପାଣି ପଶି ଯାଇଥିଲା । ତଳ ମହଲା ଲାଇବ୍ରେରୀ ଥିବାରୁ ଏଠାରେ ୩୦ରୁ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ଡ୍ରେନ୍ର ପାଣି ହଠତ୍ ପ୍ରବଳ ବେଗରେ ମାଡ଼ିଆସିଥିଲା । ସଙ୍ଗେ ସଙ୍ଗେ ପାଣି ବେଞ୍ଚ ଉପର ଯାଏଁ ଚାଲି ଆସିବାରୁ ଛାତ୍ରୀଛାତ୍ରମାନେ ବେଞ୍ଚ ଉପରକୁ ଚଢ଼ି ଯାଇଥିଲେ । ଧିରେ ଧିରେ ପାଣି ବଢ଼ିଥିଲା । ଅଗ୍ନିଶମ ବିଭାଗ ଖବର ପାଇ ସେମାନଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲା । ହେଲେ ତାନିଆ, ଶ୍ରେୟା ଓ ନବୀନଙ୍କ ପତ୍ତା ମିଳି ନଥିଲା। ୪ ଘଣ୍ଟା ଫସି ରହିବା ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଦମକଳ ବାହିନୀ, ଦିଲ୍ଲୀ ପୁଲିସ୍ ଓ ଏନ୍ଡିଆରଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ କରି ଉକ୍ତ ନିଖୋଜ ଛାତ୍ରଛାତ୍ରୀଙ୍କ ମୃତଦେହ ପାଇଥିଲେ। ତେବେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କୋଚିଂ ସେଣ୍ଟରର ମାଲିକ ଏବଂ କୋଅର୍ଡିନେଟରଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି।
Powered by Froala Editor