ଢେଙ୍କାନାଳ ବନଖଣ୍ଡରେ ବାଘ: ଛେଳିଚରାଳିକୁ ଆକ୍ରମଣ ପରେ ପାଦଚିହ୍ନ ଠାବ
ଢେଙ୍କାନାଳ ବନଖଣ୍ଡରେ ବାଘ ଆତଙ୍କ । ଗତ ମଙ୍ଗଳବାର କେନ୍ଦୁମୁଣ୍ଡା ଖେସରା ଜଙ୍ଗଲରେ କଲରାପତରିଆ ବାଘ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ବେଳେ ବୁଧବାର ଖୁଣ୍ଟିଆ ଜଙ୍ଗଲରେ ବାଘ ପାଦଚିହ୍ନ ଠାବ ହୋଇଛି । ଯାହାକୁ ନେଇ ବନବିଭାଗ ଲୋକଙ୍କ ସତର୍କ କରାଇଛି । ବନ କର୍ମଚାରୀମାନେ ଡାକବାଜି ଯୋଗେ ଲୋକଙ୍କୁ ଜଙ୍ଗଲ ନ ଯିବାକୁ ପରାମର୍ଶ ଦେଇଛନ୍ତି ।
ଗତ ୧୬ ତାରିଖ କେନ୍ଦୁମୁଣ୍ଡା ଖେସରା ଜଙ୍ଗଲରେ ଛେଳି ଚରାଉଥିବା ବେଳେ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଗ୍ରାମର ପୁଇନ ନାଏକ(୫୫)ଙ୍କୁ କଲରାପତିରିଆ ଆକ୍ରମଣ କରିଥିଲା । ନିକଟରେ ଥିବା ଅନ୍ୟ ଛେଳି ଚରାଳି ଗୋଡ଼ାଇବାରୁ ବାଘ ଚାଲିଥିଲା । ଏହା ପରେ ବାଘକୁ ଠାବ ପାଇଁ ବନ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି । ପୁଣି
ମହାବିରୋଡ଼ ରେଞ୍ଜ୍ ଗଡ଼ପଳାଶୁଣି ପଞ୍ଚାୟତ ବଡ଼ ଖୁଣ୍ଟିଆ ଜଙ୍ଗଲକୁ ସ୍ଥାନୀୟ ଗ୍ରାମବାସୀ ଯାଇଥିବା ବେଳେ ବାଘ ପାଦଚିହ୍ନ ଦେଖିବାକୁ ପାଇଥିଲେ । ବର୍ଷା ଯୋଗୁଁ ଓଦା ମାଟିରେ ସ୍ପଷ୍ଟ ଭାବେ ବାଘପାଦ ଚିହ୍ନ ପଡ଼ିଥିବା ଦେଖାଯାଇଥିଲା । ବାଘ ଆଖପାଖରେ ରହିଥିବା ଅନୁମାନ କରି ସେମାନେ ତୁରନ୍ତ ଜଙ୍ଗଲରୁ ପଳାଇ ଆସିଥିଲେ ।
ଦୁଇ ସ୍ଥାନରୁ ବାଘ ପାଦ ଚିହ୍ନ ମିଳିଥିବାବେଳେ ଏକ ବିଶେଷଜ୍ଞ ଟିମ୍ ଏହାର ଯାଞ୍ଚ କରିବେ ବୋଲି ଜଣାଯାଇଛି । ପାଦ ଚିହ୍ନ ଭିନ୍ନ ଭିନ୍ନ ବାଘର ନା ଗୋଟିଏ ବାଘର ଏହାପରେ ସ୍ପଷ୍ଟ ହେବ । ଜଙ୍ଗଲକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।
Powered by Froala Editor