କୋଭିଡ ନିୟମ ଉଲ୍ଲଂଘନ , ଦିନକରେ ୩୦.୫୯ ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ନେଇ ଅମାନିଆଙ୍କୁ ଏବେ ସାବାଡ଼ କରୁଛି ପୁଲିସ । ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ଏହାରି ଭିତରେ ଦିନକରେ ମୋଟ ୩୦.୫୯ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ମଧ୍ୟରେ ମୋଟ ୩୦ ଲକ୍ଷ ୫୯ ହଜାର ୬୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେବଳ ସେତିକି ନୁହେଁ ୨ ଜଣଙ୍କୁ ଗିରଫ କରାଯିବା ସହ ଓଡ଼ିଶା ପୁଲିସ ମୋଟ ୧୭ଟି ମାମାଲା ମଧ୍ୟ ରୁଜୁ କରିଛି ।
କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଟେନସନ ବଢ଼ାଇଦେଇଛି । ଲୋକମାନେ ମାସ୍କ ପିନ୍ଧୁନଥିବାବେଳେ ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ୧୦ଦିନିଆ ସ୍ପେଶିଆଲ ପୁଲିସ ଡ୍ରାଇଭ ଆରମ୍ଭ ହୋଇଛି ।
ସାରା ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ଅନୁପାଳନ କରିବା ପାଇଁ ୧୩୬ ପ୍ଲାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି । ଜିଲ୍ଲା ଏସପି, ଡିଏସପି ଏବଂ ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି ।