ଆଜି ଲୋକାର୍ପଣ ହେବ ଟିଟିଲାଗଡ଼ ରେଳ ଓଭରବ୍ରିଜ

ଟିଟିଲାଗଡ : ଆଜି ବହୁ ଦିନରୁ ଦାବି ହୋଇଆସୁଥିବା ଟିଟିଲାଗଡ଼ ରେଳ ଓଭରବ୍ରିଜ ଆଜି ଲୋକାର୍ପଣ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ଭିଡିଓ କନଫରେନ୍ସିଂରେ ଏହାକୁ ଲୋକାର୍ପଣ କରିବେ । ଏନେଇ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଥିଲେ ଯେ, ଟିଟିଲାଗଡ ରେଳ ଷ୍ଟେସନରୁ ରାୟପୁର – ବିଶାଖାପାଟଣା , ଝାରସୁଗୁଡା – ବିଶାଖାପାଟଣା ସହିତ ଦେଶର ସମସ୍ତ ରାଜ୍ୟକୁ ଟିଟିଲାଗଡ ରେଳ ଷ୍ଟେସନର ଯୋଗାଯୋଗ ରହିଛି । ବର୍ତ୍ତମାନ ଟିଟିଲାଗଡ ଠାରେ ଦ୍ବିତୀୟ ତଥା ତୃତୀୟ ରେଳ ଲାଇନର ନିର୍ମାଣ କାର୍ୟ୍ୟ ଜାରୀ ରହିଛି ତଥା କେତେକାଂଶରେ ସଂପୂର୍ଣ୍ଣ ମଧ୍ୟ ହୋଇସାରିଛି । ପ୍ରତ୍ୟେହ ଏହି ରେଳ ରାସ୍ତାରେ ଶତାଧିକ ଯାତ୍ରୀ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ଯାତାୟାତ କରିଥାଏ ।
ଏଥିସହ ୫୯ ନମ୍ବର ଜାତୀୟ ରାଜପଥ ଟିଟିଲାଗଡ ସହର ମଧ୍ୟ ଦେଇ ଯାଇଥିବାରୁ ଏହି ଓଭର ବ୍ରିଜ ନିର୍ମାଣ ଏକ ଆହ୍ବାନ ସଦୃଶ ଥିଲା । କେସିଙ୍ଗା , ଭବାନିପାଟନା , ନୂଆପଡ଼ା , କଣ୍ଟାବାଞ୍ଜି , ରାଜଖରିଆର ତଥା ଅନ୍ୟାନ୍ୟ ନିକଟତମ ସହରକୁ ଟିଟିଲାଗଡକୁ ଯୋଗାଯୋଗ ରହିଛି । ଏହାଛଡ଼ା ରାଣିପୁର ଝରିଆଲ , ଟିଟିଲାଗଡର ପ୍ରସିଦ୍ଧ ଶୈବପୀଠ , କୁମୁଡା ପାହାଡ ଭଲି ଅନେକ ଐତିହାସିକ ତଥା ଦର୍ଶନୀୟ ସ୍ଥାନ ରହିଛି । ଏଣୁ ଏହି ସବୁ ସ୍ଥାନରୁ ଟିଟିଲାଗଡ ସହରକୁ ବର୍ଷତମାମ ଲକ୍ଷାଧିକ ଲୋକଙ୍କ ଆବାଗମନ ରହିଥାଏ । ଏହି ରେଳ ଓଭର ବ୍ରିଜ ହେବାଦ୍ବାରା ଜନସାଧାରଣଙ୍କୁ ଗମନା ଗମନରେ ପୂର୍ବରୁ ହେଉଥିବା ଅସୁବିଧା ଆଉ ହେବ ନାହିଁ । ଏଥିପାଇଁ ବିଧାୟିକା ମୁଖ୍ୟମନ୍ତ୍ରୀଙ୍କୁ ସହରବାସୀଙ୍କ ତରଫରୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।