ଦୁର୍ଘଟଣାରେ ସିରିଏଲ୍ ଅଭିନେତ୍ରୀଙ୍କ ମୃତ୍ୟୁ

କଟକ କୁଆଖାଇ ସେତୁ ଉପରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ଟ୍ରକ୍ଟି ନଦୀ ଗର୍ଭକୁ ଖସି ପଡ଼ଥିବା ବେଳେ କାରଟି ଭାଙ୍ଗି ଚୁର୍ମାର ହୋଇଯାଇଛି । ତେବେ କାରରେ ବସିଥିବା ଧାରାବାହିକ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ସାଥୀ ଅଭିନେତ୍ରୀଙ୍କ ସହ କାର୍ ଡ୍ରାଇଭର, ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ମିଶାଇ ସମୁଦାୟ ୫ ଜଣ ଆହତ ହୋଇଛନ୍ତି । ମୃତ ଅଭିନେତ୍ରୀଙ୍କ ନାଁ ସୁଶାନ୍ତି ମଲ୍ଲିକ (୪୦) । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାସ୍ଥିତ ତିନେଇଲୋ ଗ୍ରାମରେ । ଆହତ ହୋଇଥିବା ଅନ୍ୟ ସାଥୀ ଅଭିନେତ୍ରୀ ହେଲେ ଅନୁସୂୟା ସାହୁ, ପ୍ରଭାତୀ ପ୍ରସାଦ ଏବଂ କାର୍ ଡ୍ରାଇଭର ଗନୁ ଭୋଇ । ନଦୀକୁ ଖସିପଡ଼ିଥିବା ସିମେଣ୍ଟ ବୋଝେଇ ଟ୍ରକଟି ପାଣିରେ ନପଡ଼ି ବାଲିରେ ପଡ଼ିଥିବାରୁ ଡ୍ରାଇଭର ଏବଂ ହେଲପର ବର୍ତ୍ତି ଯାଇଛନ୍ତି ।
କଟକ ସଦର ଥାନା ଅଞ୍ଚଳର ଉତ୍ତମାପୁରଠାରେ ଥିବା ଏକ ଷ୍ଟୁଡିଓରେ ସିରିଏଲ୍ ସୁଟିଂ କାମ ସାରି କାର୍ (ଓଡି ୦୫ ବିଏଫ୍ ୮୫୮୫)ରେ ୩ ଜଣ ଅଭିନେତ୍ରୀ ମଙ୍ଗଳବାର ରାତିରେ ସିଡିଏସ୍ଥିତ ଭଡ଼ା ଘରକୁ ଫେରୁଥିଲେ । କାରଟି ରାତି ପ୍ରାୟ ୩ ଟା ସମୟରେ କଟକ ଆଡ଼କୁ ଆସୁଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ୍ ସହ କୁଆଖାଇ ସେତୁ ଉପରେ ଧକ୍କା ହୋଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପର ପୁଲିସ୍ ସହାୟତାରେ ଏସ୍ସିବିକୁ ଚିକିତ୍ସା ପାଇଁ ଯାଇଥିଲେ ହେଁ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି ।
ଏ ଖବରରେ ଓଲିଉଡ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି । ସୁଶାନ୍ତି ଜଣେ ଭଲ କଳାକାର ସହ ଭଲ ମଣିଷ ମଧ୍ୟ ଥିଲେ । ପରିବାର ଲୋକ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ।
Powered by Froala Editor