ଦେଶରେ ୨୦ ନୂଆ ଡେଲଟା ପ୍ଲସ ମାମଲା
ମୁମ୍ବାଇ : ଦେଶରେ ପ୍ରାୟ ୨୦ଟି ନୂଆ ଡେଲଟା ପ୍ଲସ କରୋନା ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୮ଟି କେବଳ ମହାରାଷ୍ଟ୍ରରେ । ଏହି ସମସ୍ତ ୮ଟି ଡେଲଟା ପ୍ଲସ ମାମଲା ମହାରାଷ୍ଟ୍ରର ରତ୍ନଗିରିରୁ ରିପୋର୍ଟ କରାଯାଇଛି । ଅତ୍ୟନ୍ତ ସଂକ୍ରାମକ ଡେଲଟା ପ୍ରଜାତି ପୁନଃ ରୂପାନ୍ତରିତ ହୋଇ ଡେଲଟା ପ୍ଲସରେ ପରିଣତ ହେଉଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିଦେ୍ର୍ଧଶକ ଡାକ୍ତର ସୁଜିତ ସିଂହ କହିଛନ୍ତି, ତାମିଲନାଡ଼ୁ, ମହାରାଷ୍ଟ୍ର, ପଂଜାବ ଏବଂ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟମାନଙ୍କରୁ ୧୫-୨୦ଟି ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛି । ଜୁନ୍ ୭ ସୁଦ୍ଧା ଭାରତରେ ୬ଟି ଡେଲଟା ପ୍ଲସ ମାମଲା ଥିଲା । ମହାରାଷ୍ଟ୍ରର ରତ୍ନଗିରିରେ ମେ’ରେ ପ୍ରଥମେ ୫ଟି ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଥିଲା । ଏହାପରେ ୫୦ ଟି ମାମଲାର ଜେନମ ସିକ୍ୱେନ୍ସିଂ ପାଇଁ ପଠା ଯାଇଗଲା । ପରେ ଜୁନ ଆରମ୍ଭରେ ପୁଣି ୩ଟି ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଥିଲା । ମେଡିକାଲ ଶିକ୍ଷା ଏବଂ ଗବେଷଣା ବିଭାଗ ମୁଖ୍ୟ ଡାକ୍ତର ଟିପି ଲାହାନେ କହିଛନ୍ତି, ଡେଲଟା ପ୍ଲସ ପ୍ରଜାତିରେ ସଂକ୍ରମିତ ସମସ୍ତ ୮ ଜଣ ସାମାନ୍ୟ ଭାବେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସମସ୍ତେ ସୁସ୍ଥ ହୋଇସାରିଛନ୍ତି । ରତ୍ନଗିରିରେ ଏହି ମାମଲା ୧ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଛି । କିନ୍ତୁ ଏଥିଯୋଗୁଁ ସଂକ୍ରମଣରେ କୌଣସି ବୃଦ୍ଧି ହୋଇ ନଥିବା ସେ କହିଛନ୍ତି । ଡାକ୍ତର ଲାହାନେ କହିଛନ୍ତି, ଆସନ୍ତା ୨-୩ ସପ୍ତାହ ମଧ୍ୟରେ ସମସ୍ତ ଜିଲ୍ଲାମାନଙ୍କୁ ୧୦୦ ନମୁନା ପଠାଇବା ପାଇଁ କୁହାଯାଇଛି । ଅତି ଗୁରୁତର ମାମଲା, ଟିକାକରଣ ପରେ ସଂକ୍ରମଣ ଏବଂ ଯେଉଁ ଗ୍ରାମ ମାନଙ୍କରେ ସଂକ୍ରମଣ ଅଧିକ ରହୁଛି ସେଠାରୁ ନମୁନା ଅନୁଧ୍ୟାନ ପାଇଁ ପଠାଯିବ ବୋଲି ଡାକ୍ତର ଲାହାନେ କହିଛନ୍ତି ।
Powered by Froala Editor