କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ : ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଅନୁଷ୍ଠିତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ହାଇକୋର୍ଟ କହିଛନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ରିଟ୍ ଅପିଲ୍ ଗୁଡ଼ିକର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ଗଣାତ୍ମକ ଶିକ୍ଷା ପାଇଁ ମେଧାବୀ ପ୍ରାର୍ଥୀଙ୍କ ନିଯୁକ୍ତି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଛନ୍ତି, ସିବିଟିରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବର ଆଧାରରେ ମେଧା ନିର୍ଦ୍ଧାରଣ କରାଯିବ। ସିବିଟିକୁ ଆଧାର କରି ତଥା ପୂରଣ ହେବାକୁ ଥିବା ପଦବିକୁ ଦୃଷ୍ଟିରେ ରଖି ବିଷୟ ଓ ବର୍ଗଭିତ୍ତିକ ସର୍ବନିମ୍ନ କଟ୍-ଅଫ୍ ମାର୍କ ଧାର୍ୟ୍ୟ କରାଯିବ। ଧାର୍ୟ୍ୟ କଟ୍-ଅଫ୍ ମାର୍କ ବା ଏହାଠାରୁ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ନେଇ ଚୟନ ତାଲିକା ପ୍ରସ୍ତୁତ କରାଯିବ। ପଦବି ପାଇଁ ଆବେଦନ ସମୟରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ଜିଲ୍ଲା ସଂପର୍କିତ ପ୍ରିଫରେନ୍ସକୁ ବିଚାରକୁ ନିଆଯିବ। ସେହିପରି ପ୍ରଥମ କଟ୍-ଅଫ ମାର୍କ ଧାର୍ୟ୍ୟପରେ ସବୁ ପଦବି ପୂରଣ ହୋଇ ନପାରି ଖାଲିପଡ଼ିଲେ ଓସେପା ପୁନଃ କଟ୍ ଅଫ ମାର୍କ ଧାର୍ୟ୍ୟ କରିପାରିବ। ପ୍ରଥମେ ମେଧା ତାଲିକା, ପରେ ଜିଲ୍ଲାୱାରୀ ଅଗ୍ରାଧିକାରକୁ ଗୁରୁତ୍ବ ଦିଆଯିବା ଦ୍ବାରା ଠିକ୍ରେ ପ୍ରତିଭା ଚୟନ ହୋଇ ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଏଥିସହିତ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀର ଜିଲ୍ଲାୱାରୀ ମେଧା ତାଲିକା ସଂପର୍କିତ ସର୍ତ୍ତ ୮.୩କୁ ହାଇକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି।
Powered by Froala Editor