ବାଇକ୍ରେ ନେଉଥିଲେ ସମ୍ବର ମାଂସ, ୬ ଗିରଫ

ସମ୍ବର ଶିକାରବେଳେ ୬ ଶିକାରୀଙ୍କୁ ମାଡିବସିଛି ବନବିଭାଗ । ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ବିଜୟ କୁମାର ବେହେରା (୩୫), ଅବନୀ ସ୍ୱାଇଁ (୩୦), ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲୋ ଗାଁର ଚିତ୍ରସେନ ଦେହୁରୀ (୫୫), ମଣ୍ଡୁଆମ ଗାଁର ବସନ୍ତ କିସାନ (୩୦), ନୂତନ ମଣ୍ଡୁଆମ ଗାଁର ମକୁନ୍ଦ ସିଂ (୩୫) ଏବଂ ଧନେଶ୍ୱର ସିଂ (୩୨) । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ୨ଟି କଟୁରି, ୧୦ କେଜି ସମ୍ବର ମାଂସ, ଏକ ବାଇକ୍, ୨୫ ବଣ୍ଡଲ୍ ଫାଶ ଏବଂ ୩ କେଜି ତାର ଜବତ କରାଯାଇଛି ।
ବାମରା ବନ୍ୟପ୍ରାଣୀ ଅଭୟାରଣ୍ୟର ଖଲାଶୁଣି ସଂରକ୍ଷିତ ଜଙ୍ଗଲର କିସିଣ୍ଡା ରେଞ୍ଜ୍ ମଣ୍ଡୁଆମ୍ ଗାଁ ନିକଟ ଜଙ୍ଗଲରୁ ରବିବାର ସମ୍ବର ଶିକାର କରିଥିଲେ ଶିକାରୀ । ସମ୍ବରକୁ କାଟି ୧୧ କେଜି ମାଂସ ବାଇକ୍ରେ ବୋଝେଇ କରି କିସିଣ୍ଡା ଗୋଧିଢିପ ରାସ୍ତା ଦେଇ ଦେବଗଡ଼କୁ ଚାଲାଣ କରୁଥିଲେ । ସୂଚନା ପାଇ ବିଜୟ ଓ ଅବନୀକୁ ବନ୍ୟପ୍ରାଣୀ ଅଧିକାରୀ ମାଡିବସିଥିଲେ । ସେମାନଙ୍କୁ ପଚରାଉଚୁରା ବେଳେ ଅନ୍ୟ ୪ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ସେମାନଙ୍କୁ ରେଢ଼ାଖୋଲ କୋର୍ଟକୁ ଚାଲାଣ କରାଯାଇଛି ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅଭୟାରଣ୍ୟର ଜଳ ଉତ୍ସ ଶୁଷ୍କ ହୋଇଯାଇଛି । ବନ୍ୟଜନ୍ତୁ ବାହାରକୁ ଆସି ପାଣି ପିଉଛନ୍ତି । ଯାହାର ସୁଯୋଗ ନେଉଛନ୍ତି ଶିକାରୀ ।
Powered by Froala Editor