ମତଦାନରେ ଭାରତ କରିଛି ଐତିହାସିକ ରେକର୍ଡ

ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଭାରତର ନିର୍ବାଚନ କମିଶନ ଦିଲ୍ଲୀରେ ଆୟୋଜନ କରିଛନ୍ତି ପ୍ରେସ କନଫରେନ୍ସ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଚବିଶ ନିର୍ବାଚନ ଐତିହାସିକ। ଭୋଟ୍ ଗଣତି ପୂର୍ବରୁ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର । ତେବେ ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଇସିଆଇ । ସାରା ବିଶ୍ୱରେ କେଉଁଠି ବି ଏତେ ସଂଖ୍ୟାରେ ଲୋକ ଭୋଟ ଦେଇନାହାନ୍ତି ।
ସେହିପରି ଜାମ୍ମୁ ଓ କାଶ୍ମୀରରେ ଗତ ୪ ଦଶନ୍ଧୀରେ ସବୁଠୁ ଅଧିକ ମତଦାନ ହୋଇଛି । ଉପତ୍ଯକାରେ ୫୧.୦୫ ପ୍ରତିଶତ ପୋଲିଂ ହୋଇଛି । ମାତ୍ର ୩୯ଟି ବୁଥରେ ପୁନର୍ବାର ମତଦାନ ହୋଇଛି । ରାଜୀବ କୁମାର କହିଛନ୍ତି ଆମେ ୬୪୨ ମିଲିୟନ ମତଦାତାଙ୍କୁ ନେଇ ଏକ ବିଶ୍ୱ ରେକର୍ଡ କରିଛୁ । ଏହା ସମସ୍ତ ଜି ୭ ଦେଶର ମତଦାତାଙ୍କ ଠାରୁ ୧.୫ଗୁଣ ଓ ୟୁରୋପୀୟ ସଂଘର ୨୭ ଦେଶର ମତଦାତାଙ୍କ ଠାରୁ ୨.୫ ଗୁଣ ଅଧିକ ।
ସାରା ଦେଶରେ ଶାନ୍ତି ଶୃଙ୍ଖଳାର ସହ ପୋଲିଂ ସରିଛି । ସାତଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ କୌଣସି ବଡ଼ ହିଂସାକାଣ୍ଡ ଘଟିନି । ଏହି ନିର୍ବାଚନରେ ୬୮ ହଜାର ମନିଟରିଂ ଟିମ, ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ଥିଲେ । ୪ ଲକ୍ଷ ଯାନବାହାନ, ୧୩୫ ସ୍ବତନ୍ତ୍ର ଟେର୍ନ, ୧୬୯୨ ବିମାନ, ହେଲିକପ୍ଟର ଆଦି ବ୍ଯବହାର କରାଯାଇଥିଲା । ୪୯୫ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରୁ ୯୦ ପ୍ରତିଶତ ସମାଧାନ ହୋଇଛି ।
Powered by Froala Editor