ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ, ପିପିଲି ମଙ୍ଗ କିଏ ଧରିବ ଜାଣନ୍ତୁ?

ପିପିଲି: ଉପନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡ଼ିଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ଅଜିତ ଅସୁସ୍ଥତା ଯୋଗୁଁ ପ୍ରଚାରକୁ ଓହ୍ଲାଇ ନଥିବା ବେଳେ କଂଗ୍ରେସ ବିନା ଦଳୀୟ ପ୍ରାର୍ଥୀରେ ପ୍ରଚାରକୁ ଓହ୍ଲାଇଛି । କର୍ମୀ ଓ ନେତାମାନେ ଗାଁ ଗାଁରେ ପ୍ରଚାର କରିଛନ୍ତି । ଏଭଳି ସମୟରେ କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର ମଙ୍ଗ ସମ୍ଭାଳିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥାନୀୟ ଏନଏସି ବଜାରରେ କଂଗ୍ରେସର ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ତାଙ୍କ ସହ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଥିଲେ । ଚଳିତ ଉପନିର୍ବାଚନକୁ କଂଗ୍ରେସ ବେଶ ଗୁରୁତର ସହ ଗ୍ରହଣ କରିଛି । ବିଜେଡ଼ି ଓ ବିଜେପି ଭଳି କଂଗ୍ରେସ ମଧ୍ୟ ଜୋନୱାରୀ ନେତାମାନଙ୍କୁ ଦାୟିତ୍ୱ ଆବଂଟନ କରିଛନ୍ତି । ବିଜେଡ଼ି ଓ ବିଜେପି ଲଢେ଼ଇ ଭିତରେ କଂଗ୍ରେସ ନିଜର ପତିଆରା ସାବ୍ୟସ୍ତ କରିବାକୁ ଯୋଜନା କରିଛି ।