ଶାର୍ଜିଲ ଇମାମଙ୍କୁ ଜାମିନ, ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିଲେ
୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଟ୍ ସ୍ପିଚ୍ ଦେବା ମାମଲାରେ ଗିରଫ ହୋଇଥିବା ଛାତ୍ର ନେତା ଶାର୍ଜିଲଙ୍କୁ ପ୍ରାୟ ସାଢ଼େ ଚାରି ବର୍ଷ ପରେ ଜାମିନ ମିଳିଛି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ ପଡ଼ିବ।
ଶାର୍ଜିଲ ୨୦୧୯ ଡିସେମ୍ବର ୧୩ରେ ଜାମିଆ ମିଲିଆ ଇସଲାମିଆରେ ଏବଂ ୨୦୧୯ ଡିସେମ୍ବର ୧୬ରେ ଆଲିଗଡ଼ ମୁସଲମାନ ବିଶ୍ୱବିଦ୍ୟାଳୟରେ ଏକ ଭାଷଣ ଦେଇଥିଲେ, ଯେଉଁଠାରେ ସେ ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ଦେଶରୁ କାଟିଦେବାକୁ ଧମକ ଦେଇଥିଲେ। ଏନେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଶାଖା ଦ୍ୱାରା ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ୨୦୨୦ ଜାନୁୟାରୀ ୨୮ରୁ ସେ ଜେଲରେ ଅଛନ୍ତି।
ଶାର୍ଜିଲଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ତେବେ ଏଥିରୁ ସାଢ଼େ ୪ ବର୍ଷ ସେ ଜେଲ୍ରେ କାଟି ସାରିଛନ୍ତି। ଏହାକୁ ଆଧାର କରି ସେ ଜାମିନ ଅବେଦନ କରିଥିଲେ। ଫେବ୍ରୁଆରୀ ମାସରେ ଦିଲ୍ଲୀର କଡକଡଡୁମା କୋର୍ଟ ଶାର୍ଜିଲଙ୍କୁ ଆଇନଗତ ଜାମିନ ଦେବାକୁ ମନା କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯେଉଁ ବିଭାଗ ଅଧୀନରେ ମାମଲା ଚାଲିଛି ସର୍ବାଧିକ ଦଣ୍ଡ ୭ ବର୍ଷ ଅଟେ, ସେଥିରୁ ସେ ଅଧା ଦଣ୍ଡ ଭୋଗିସାରିଛନ୍ତି। ଏଣୁ ତାଙ୍କୁ ଆଇନଗତ ଜାମିନ ମିଳିବା ଉଚିତ ବୋଲି ଶାର୍ଜିଲ ଏକ ପିଟିସନରେ କହିଥିଲେ।
Powered by Froala Editor