ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ତାତି : ୫୩ ଛୁଇଁଲା, ଜାଳିଲା
ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଛି। ବୁଧବାର ଦିଲ୍ଲୀରେ ଅପରାହ୍ନ ୨ଟା ୩୦ ସୁଦ୍ଧା ୫୨.୩ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏହାସହିତ ଦିଲ୍ଲୀବାସୀଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି | ନୂଆ ନିୟମ ମୁତାବକ ଦିଲ୍ଲୀରେ ପାଣି ନଷ୍ଟ ପାଇଁ ୨୦୦୦ ଟଙ୍କା ମୂଲ୍ୟର ଚାଲାଣ କଟାଯିବ । ଯଦି କେହି ପାଇପ୍ ସାହାଯ୍ୟରେ କାର୍ ଧୋଉଥିବାର ଦେଖାଯାଏ କିମ୍ବା ଯଦି କାହାର ଘରେ ପାଣି ଟାଙ୍କି ଓଭର ଫ୍ଲୋ ହେଉଥିବାର ଦେଖିବାକୁ ମିଳେ, ତେବେ ତାଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ହେବେ।
ବାସ୍ତବରେ ଦିଲ୍ଲୀରେ ପ୍ରଚୁର ଜଳର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଜଳର ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ଦିଲ୍ଲୀରେ ଶ୍ରମିକମାନେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କ ଟଙ୍କା କଟାଯିବ ନାହିଁ। ପ୍ରବଳ ଉତ୍ତାପ ଯୋଗୁଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଏହି ନିଷ୍ପତ୍ତି ନେଇଛନ୍ତି। ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ କମ୍ ନହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ।
ସେହିଭଳି ହରିୟାଣାର ସିର୍ସାରେ ୫୦.୩ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ଦକ୍ଷିଣ ରାଜସ୍ଥାନର ବାରମର୍, ଯୋଧପୁର, ଉଦୟପୁର, ସାଇରୋହି, ଏବଂ ଜାଲୋରରେ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ଘଟି ଉତ୍ତର-ପଶ୍ଚିମ ଭାରତ ଉପରେ ହିଟ ୱେଭ ହ୍ରାସ ହେବାର ସୂଚାଉଛି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟାମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ।
Powered by Froala Editor