ଏଥର ଶୀଘ୍ର ଆସୁଛି ମୌସୁମୀ, ପ୍ରବଳ ବର୍ଷିବ
ମୌସୁମୀକୁ ନେଇ ବଡ଼ ସୂଚନା ଜାରି କରିଛି ଭାରତ ପାଣିପାଗ ବିଭାଗ (ଆଇଏମ୍ଡି)। ଆଇଏମ୍ଡି ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପାଣିପାଗ ଅନୁକୂଳ ରହିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ପହଞ୍ଚି ସାରିଛି। ଏହା ଆସନ୍ତା ମେ' ୩୧ କିମ୍ବା ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ।
ଆଇଏମ୍ଡିର ସୂଚନା ମୁତାବକ, ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। ତା’ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଏହା ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ। ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ତେଲେଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ରରେ ପହଞ୍ଚିଥାଏ । ଜୁନ୍ ୧୫ରେ ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର କିଛି ଅଂଶରେ ପହଞ୍ଚିଥାଏ। ଜୁନ୍ ୨୦ସୁଦ୍ଧା ଏହା ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅବଶିଷ୍ଟ ଅଂଶ ଏବଂ ଗୁଜରାଟର କିଛି ଅଂଶରେ ପ୍ରବେଶ କରେ। ଜୁଲାଇ ୧୫ ପାଖାପାଖି ଏହା ସମଗ୍ର ଦେଶକୁ କଭର୍ କରିଥାଏ।
ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ପୁଣିଥରେ ଦୋହରାଇଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Powered by Froala Editor