୧୩ ବର୍ଷ ପରେ ଆସିଲା ଲୈଲା ଖାନ୍ ହତ୍ୟା ମାମଲାର ରାୟ : ସାବତ ବାପାକୁ ଫାଶୀ ଦଣ୍ଡ
ବଲିଉଡ୍ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରଭେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ତାଙ୍କୁ ଏହି ସଜା ଶୁଣାଇଛନ୍ତି। ୨୦୧୧ରେ ଘଟଣା ଘଟିଥିବା ବେଳେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ସାବତ ପିତା ପରଭେଜ ଟାକଙ୍କୁ କୋର୍ଟ ଫାଶୀ ଦଣ୍ଡ ଦେଇଛନ୍ତି।
୨୦୧୧ରେ ଲୈଲା ଖାନ, ତାଙ୍କ ମା’ ଏବଂ ତାଙ୍କ ଚାରି ଭାଇଭଉଣୀଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ଲୈଲାଙ୍କ ହତ୍ୟା ମାମଲାର ଶୁଣାଣି ମୁମ୍ବାଇ କୋର୍ଟରେ ଚାଲିଥିଲା। ବର୍ତ୍ତମାନ ଏହି ମାମଲାରେ ସେସନ୍ସ କୋର୍ଟ ପରଭେଜ ଟାକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
ସୂଚନା ମୁତାବକ, ଲୈଲା ଖାନ ହତ୍ୟା ମାମଲା ୧୩ବର୍ଷ ପୁରୁଣା। ପରବେଜ ଟାକଙ୍କୁ ତୃତୀୟ ବିବାହ କରିଥିଲେ ଲୈଲାଙ୍କ ମା’ ସେଲିନା ପଟେଲ। ତେବେ ପରବେଜ ସର୍ବଦା ନିଜକୁ ଅସୁରକ୍ଷିତ ମଣୁଥିଲେ। ସେଲିନା ଓ ତାଙ୍କ ପିଲାମାନେ ତାଙ୍କୁ ଚାକର ଭଳି ବ୍ୟବହାର କରୁଥିଲେ ବୋଲି ପରବେଜ ଭାବୁଥିଲେ। ସେ ଡରୁ ଥିଲେ ଯେ ସେଲିନା ତାଙ୍କୁ ଭାରତରେ ଛାଡ଼ି ନିଜ ଛୁଆମାନଙ୍କ ସହିତ ଦୁବାଇ ଚାଲିଯିବେ।
ଏସବୁ ଭିତରେ ସଂପତ୍ତିକୁ ନେଇ ସେଲିନାଙ୍କ ସହିତ ତାଙ୍କର ମତଭେଦ ଥିଲା। ୨୦୧୧ ଫେବ୍ରୁଆରୀ ମାସରେ ଲୈଲା ଖାନ୍, ତାଙ୍କ ମା’ ଓ ୪ ଭାଇ-ଭଉଣୀଙ୍କୁ ପରବେଜ ଟାକ ତାଙ୍କର କିଛି ସହଯୋଗୀଙ୍କ ସହିତ ମିଶି ହତ୍ୟା କରିଥିଲା। ଲୈଲାଙ୍କ ମହାରାଷ୍ଟ୍ରର ଇଗତପୁରୀ ସ୍ଥିତ ବଙ୍ଗଳାରେ ଏହି ଘଟଣା ଘଟିଥିଲା।
ଲୈଲା, ତାଙ୍କ ମା ଏବଂ ଚାରି ଭାଇଭଉଣୀଙ୍କ ସହ ଇଗତପୁରୀରେ ଥିବା ଫାର୍ମ ହାଉସକୁ ଛୁଟି କଟାଇବାକୁ ଯାଇଥିବା ବେଳେ ପରଭେଜ ସେମାନଙ୍କୁ ହତ୍ୟା କରି ପୋତି ଦେଇଥିଲା। ଯେତେବେଳେ ଲୈଲାଙ୍କ ପିତା ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନରେ ଅପହରଣ ମାମଲା ଦାୟର କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ପରିବାର ଦୁବାଇରେ ଥିବା କହିଥିଲେ ପରଭେଜ। ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲେ।
Powered by Froala Editor