ବିଜେଡି ପାର୍ଟି ଅଫିସ୍ରେ ବୋମାମାଡ଼ କଲେ ଦୁର୍ବୃତ୍ତ
ଭୁବନେଶ୍ୱର: ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍ରେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଇକ୍ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍ଟିର କାମ ସାରି ସବୁ କର୍ମୀମାନେ ଘରକୁ ଯାଉଥିଲେ। କିଛି ଯୁବକ ସେଠାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍ରେ ଆସି ବୋମା ଫିଙ୍ଗିଥିଲେ। ବୋମାଟି ପାର୍ଟି ଅଫିସ ଭିତରେ ନପଡ଼ି ଆଗରେ ଥୁଆ ହୋଇଥିବା ବାଇକ୍ ଉପରେ ପଡ଼ିଥିଲା। କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।
Powered by Froala Editor