କୁନୋରୁ ଫେରାର ହେଲା ଚିତା

ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର କୁନୋ ଜାତୀୟ ପାର୍କରେ ଚିତା ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ହେଲେ ଇତିମଧ୍ୟରେ ଆତଙ୍କ ଖେଳାଇବା ଭଳି ଖବର ଶୁଣିବାକୁ ମିଳିଛି । ପାର୍କରୁ ଏକ ଆଫ୍ରିକୀୟ ଚିତା ଫେରାର ହୋଇ ରାଜସ୍ଥାନକୁ ଆସିଛି। ଏହି ଚିତା ରାଜସ୍ଥାନର କରୌଲି ଜିଲ୍ଲାର କରନପୁର ଅଞ୍ଚଳର ସିମରା ଗାଁରେ ପହଞ୍ଚିଯାଇଛି।
ଶନିବାର ସକାଳେ କିଛି ସିମରା ଗ୍ରାମବାସୀ ବିଲକୁ ଯାଉଥିଲେ। ସେହି ସମୟରେ ସେମାନେ ଚିତାକୁ ଦେଖିଥିଲେ। କଲରାପତରିଆ ବାଘ ପଶିଥିବା ଖବର ପାଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବନ୍ୟଜନ୍ତୁଙ୍କୁ ଦେଖି ସେ ଭୟଭୀତ ହୋଇ ଗାଁକୁ ଫେରି ଆସିଥିଲେ। ଏ ନେଇ ସେ ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ବନ ବିଭାଗ ଓ ପୁଲିସ ଟିମ୍ ସିମରା ଗାଁରେ ପହଞ୍ଚିଥିଲେ।
ଏହି ଚିତାକୁ ଦୁଇ ବର୍ଷ ତଳେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଅଣାଯାଇଥିଲା । ଏହା ମଧ୍ୟପ୍ରଦେଶର କୁନୋ ସଫାରି ପାର୍କରୁ ବୁଲୁଥିବା ବେଳେ କରୌଲିରେ ପହଞ୍ଚିଥିବା ଜଣାଯାଇଛି। ତାକୁ ଧରି କୁନୋ ନିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ଚିତାଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି।
Powered by Froala Editor