ସିଙ୍ଗାପୁର ସରକାରଙ୍କ ଅଭିଯୋଗ : ଏଭରେଷ୍ଟ ମାଛ ମସଲାରେ ମିଶୁଛି କୀଟନାଶକ
ଏଭରେଷ୍ଟ କମ୍ପାନୀର ମାଛ ମସଲାରେ କୀଟନାଶକ ଥିବା ଦର୍ଶାଇ ସିଙ୍ଗାପୁର ସରକାର ବଡ ପଦକ୍ଷେପ ନେଇଛନ୍ତି । ସିଙ୍ଗାପୁର ମାର୍କେଟରୁ ଏହି ଉତ୍ପାଦ ଫେରାଇ ନେବାକୁ ଏଭରେଷ୍ଟ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏଭେରେଷ୍ଟ ତରଫରୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।
ଏଭରେଷ୍ଟ କମ୍ପାନୀର ମାଛ ମସଲାରେ ଏଥିଲିନ ଅକ୍ସାଇଡର ଅଧିକ ପରିମାଣ ଥିବା ଦର୍ଶାଇ ସିଙ୍ଗାପୁର ଏଭଳି ପଦକ୍ଷେପ ନେଇଛି । ଏନେଇ ହଙ୍ଗକଙ୍ଗ ଖାଦ୍ୟ ସୁରକ୍ଷା ବିଭାଗର ଏକ ଅଧିସୂଚନା ଜାରି କରିବା ପରେ ସିଙ୍ଗାପୁର ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସିଙ୍ଗାପୁର ଖାଦ୍ୟ ଏଜେନ୍ସି କହିଛି, ହଙ୍ଗ୍କଙ୍ଗସ୍ଥିତ ଖାଦ୍ୟ ସୁରକ୍ଷା କେନ୍ଦ୍ର ତରଫରୁ ଏଭେରେଷ୍ଟ ମାଛ ମସଲାରେ ଏଥିଲିନ ଅକ୍ସାଇଡର ମାତ୍ରା ଅଧିକ ଥିବା ସୂଚନା ଦେଇଥିଲା । ସିଙ୍ଗାପୁର ନିୟମ କ୍ରମରେ ମସଲାର ଗୁଣବତ୍ତା ବୃଦ୍ଧି କରିବାକୁ ସେଥିରେ ଏଥିଲିନ୍ ଅକ୍ସାଇଡ ମିଶାଇବାର ପ୍ରାବଧାନ ରହିଛି । ହେଲେ ଏଭେରେଷ୍ଟ ମାଛ ମସଲାରେ ଏହାର ପରିମାଣ ଅଧିକ ରହିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନୀକାରକ । ଏହି ମସଲା ଯେଉଁ ଲୋକମାନେ ବ୍ୟବହାର କରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ସେମାନଙ୍କୁ ତୁରନ୍ତ ମେଡିକାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଏକ ସତର୍କ ସୂଚନା ଜାରି କରାଯାଇଛି ।
ଗତକାଲି ଭାରତର ନେସଲେ କମ୍ପାନୀର ଶିଶୁ ଖାଦ୍ୟ ଉତ୍ପାଦ ସେରେଲାକ ଉପରେ ପ୍ରଶ୍ନ ଉଠିଛି । ଭାରତକୁ ଯୋଗାଣ କରାଯାଉଥିବା ସେରେଲାକରେ ଅଧିକ ସର୍କରା ମିଶୁଥିବା ଅଭିଯୋଗ ହୋଇଛି । ଏବେ ଏଭରେଷ୍ଟ କମ୍ପାନୀର ମାଛ ମସଲା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେବା ପରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି ।
Powered by Froala Editor