ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ମତଦାନ
ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ୟ୍ୟାୟ ମତଦାନ ସହ ଦେଶରେ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।
ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।
ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ୟ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ। ପ୍ରଥମ ପର୍ୟ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା। ତାମିଲନାଡୁରେ ସର୍ବାଧିକ ପ୍ରାର୍ଥୀ ଅଛନ୍ତି ୯୫୦ ଜଣ। ଏମାନଙ୍କ ମଧ୍ୟରୁ ୩୯ଟି ସଂସଦୀୟ କ୍ଷେତ୍ରରେ ୭୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ଏହି ପର୍ୟ୍ୟାୟରେ ସବୁଠୁ କମ୍ ପ୍ରାର୍ଥୀ ଥିବା ରାଜ୍ୟ ହେଉଛି ନାଗାଲାଣ୍ଡ। ନାଗାଲାଣ୍ଡରେ ଗୋଟିଏ ମାତ୍ର ସଂସଦୀୟ କ୍ଷେତ୍ର ଥିବା ବେଳେ ସେହି ଆସନ ଲାଗି ଆଜି ଭୋଟ୍ ହେଉଛି।
ଆଜି ଦେଶର ୧୦୨ଟି ଲୋକସଭା ଆସନ ସମେତ ଏକା ସାଙ୍ଗରେ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବି ହେଉଛି।
Powered by Froala Editor