ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ
ଅଯୋଧ୍ୟାରେ ପ୍ରଭୁ ରାମଙ୍କ ଜନ୍ମୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଏହି ଅବସରରେ ଶ୍ରୀରାମଙ୍କ ମସ୍ତକରେ ପଡିଛି ସୂର୍ଯ୍ୟକିରଣ। ରାମଲାଲାଙ୍କ ମସ୍ତକରେ ୫ ମିନିଟ ଯାଏଁ ସୂର୍ଯ୍ୟଙ୍କ କିରଣ ପଡିଛି। ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ । ଠିକ୍ ସେହି ସମୟରେ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି। ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ।
ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ। ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି। ଏହି ସମୟରେ ୫ ମିନିଟ ଯାଏ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା।
ରାମ ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଛି ଆପ୍ଟୋ ମେକାନିକାଲ ସିଷ୍ଟମ ।ଆପ୍ଟୋ ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲଗାଯାଇଥିଲା। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିଥିଲା। ଦର୍ପଣ ଉପରେ ପଡୁଥିବା ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଭର୍ଟିକାଲ ପାଇପ ଜରିଆରେ ଆସି ରାମଲାଲାଙ୍କ ମସ୍ତକରେ ପଡିଛି ।
Powered by Froala Editor