ଫୋନ୍ କଲ୍ ରିସିଭ୍ କରି ଫସିଲେ ମହିଳା, ଗାଏବ ହୋଇଗଲା ୨ ଲକ୍ଷରୁ ଅଧିକ ଟଙ୍କା
ଚେନ୍ନାଇ : ଚେନ୍ନାଇର ଜଣେ ମହିଳା କୁରିୟର ଘୋଟାଲାର ଶିକାର ହୋଇଛନ୍ତି । ଗୋଟେ ଫୋନ୍ କଲ୍ ରିସିଭ୍ କରିବାରୁ ତାଙ୍କ ଖାତାରୁ ୨.୨୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
୩୪ ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଗାୟତ୍ରୀ ଏଜୁମଲାଇ । ତାଙ୍କୁ ବୁଧବାର ସକାଳ ୧୧ଟା ସମୟରେ ଏକ ଫୋନ୍ କଲ୍ ଆସିଲା । ରିସିଭ୍ କରିବାରୁ ଫୋନରେ ଥିବା ବ୍ୟକ୍ତି ଜଣକ ନିଜକୁ ମୁମ୍ବାଇ ପୁଲିସ ବିଭାଗର ଅଧିକାରୀ ବୋଲି ପରିଚୟ ଦେବା ସହ ମହିଳାଙ୍କ ଦ୍ବାରା ପଠାଯାଇଥିବା କୁରିୟରରେ ଡ୍ରଗ୍ସ ଥିବା ସୂଚନା ଦେଇଥିଲା । ସେଥିପାଇଁ ମହିଳାଙ୍କୁ ମୁମ୍ବାଇ ଯିବାକୁ ପଡିବ ବୋଲି ସେ କହିଲା । ଏକଥା ଶୁଣି ଗାୟତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ କାହାକୁ କିଛି ବି ପାର୍ସଲ କୁରିୟର କରିନଥିଲେ । ସେ ଏକଥା ସେ ଲୋକକୁ ଜଣାଇଲେ । ଏହା ପରେ ସେ ଠକ ଜଣକ ଗାୟତ୍ରୀଙ୍କ ବ୍ୟାଙ୍କ ଖାତା ବିବରଣୀ ଏବଂ ନେଣଦେଣ ସମ୍ପର୍କରେ ଜାଣିବାକୁ ଚାହିଁଲା କି ସତରେ ସେ କିଛି କୁରିୟର କରିଛନ୍ତି କି ନାହିଁ । ଏପରିକି ସେ ଆଧାର କାର୍ଡର ଫଟୋ ମଧ୍ୟ ମାଗିଲା ।
ଏହା ପରେ ଠକ ଜଣକ କହିଲା କି ତାଙ୍କ ବ୍ୟାଙ୍କ ଖାତାକୁ ୨.୨୬ ଲକ୍ଷ ଟଙ୍କା ଆସିବ ଏବଂ ତାକୁ ଏକ ନିର୍ଦ୍ଧାରିତ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିବାକୁ ହେବ । ଏହା ପରେ ଗାୟତ୍ରୀଙ୍କ ଆକାଉଣ୍ଟକୁ ପଇସା ଆସିଲା ଏବଂ ସେ ଠକ ଚାହୁଁଥିବା ଆକାଉଣ୍ଟକୁ ପଇସା ପଠାଇଦେଲେ । ଏହା ପରେ ଠକ ଜଣକ ଫୋନ୍ କାଟିଦେଲା । ଅନ୍ୟପଟେ ଠିକ୍ ଏହି ସମୟରେ ଗାୟତ୍ରୀଙ୍କୁ ତାଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ସେହି ବ୍ୟାଙ୍କ କର୍ମଚାରୀ ଫୋନ୍ କରି କହିଲେ କି ସେ ଆବେଦନ କରିଥିବା ଲୋନକୁ ସୀକୃତ ମିଳିଯାଇଛି । ଏହା ଶୁଣି ଗାୟତ୍ରୀ ଚକିତ ହୋଇଗଲେ । ସେ ଏହା ବୁଝିବା ପାଇଁ ବ୍ୟାଙ୍କ ଗଲେ ଏବଂ ଜାଣିବାକୁ ପାଇଲେ କି ତାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ସେ ଠକ ଜଣକ ୨.୨୬ ଲକ୍ଷ ଟଙ୍କା ଲୋନ୍ ଆବେଦନ କରିଥିଲା । ବ୍ୟାଙ୍କ କର୍ମଚାରୀ ମଧ୍ୟ ଗାୟତ୍ରୀ ଲୋନ୍ ପାଇବାକୁ ଚାହୁଁଥିବା ଭାବି ପଇସା ପଠାଇଥିଲେ କିନ୍ତୁ ସବୁ ପଇସା ଗାୟତ୍ରୀ ସେ ଠକକୁ ଟ୍ରାନ୍ସଫର କରିଦେଲେ । ଏହା ପରେ ଗାୟତ୍ରୀ ଏନେଇ ଥାନାରେ ଅଭିଯୋଗ କଲେ । ଏନେଇ ପୁଲିସ ଖୋଳତାଡ ଆରମ୍ଭ କରିଦେଇଛି ।
Powered by Froala Editor