ସିବିଆଇ ହାତକୁ ଗଲା ସନ୍ଦେଶଖାଲି ମାମଲା
ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଚାଷ ଜମିକୁ ବେଆଇନ ଭାବେ ମତ୍ସ୍ୟଚାଷ ପାଇଁ ରୂପାନ୍ତରିତ କରିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
ବୁଧବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡପ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ ସିବିଆଇ କରିବ। ସନ୍ଦେଶଖାଲି ମାମଲାର ଜଟିଳତାକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ କରାଯିବାରେ କୌଣସି ସନ୍ଦେହ ନାହିଁ। ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି ତାଙ୍କୁ ରାଜ୍ୟ ତଦନ୍ତ ପାଇଁ ଉଚିତ ସମର୍ଥନ ଦେବ। ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ୍/ ଇମେଲ୍ ଆଇଡି ଉନ୍ମୋଚନ କରାଯିବ।
ମାମଲାର ତଦନ୍ତ କରି ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ। ଏହି ରିପୋର୍ଟରେ ଉଭୟ ଜମିର ଜବରଦଖଲ ଉଚ୍ଛେଦ ଏବଂ ଯୌନ ମାମଲା ସଂପର୍କରେ ଉଲ୍ଲେଖ ରହିବ। ସାଧାରଣ ଲୋକ, ସରକାରୀ ବିଭାଗ, ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ସମେତ ଯେକୌଣସି ବ୍ୟକ୍ତିଙ୍କୁ ପଚାରିବାର ଏଜେନ୍ସି ପାଖରେ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି।
କୋର୍ଟ କହିଛନ୍ତି ଯେ, 'କୋର୍ଟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ। ୧୫ ଦିନ ମଧ୍ୟରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ। ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲାଗଯିବ। ଆବଶ୍ୟକ ଅନୁଯାୟୀ ରାଜ୍ୟ ପାଣ୍ଠି ପ୍ରଦାନ କରିବେ। '
Powered by Froala Editor