ଆଜି ଇଦ୍ ପାଇଁ ଚାନ୍ଦ ଦେଖାର ସଞ୍ଜ
କଟକ : ବୁଧବାର ଇଦ୍ ପାଇଁ ଚାନ୍ଦ ଦେଖାର ସଞ୍ଜ। ସତେଇଶତମ ତରାବୀର ରବିବାର ରାତିରେ ପାଳିତ ହୋଇଛି ‘ସବୈକଦର୍’। ମଙ୍ଗଳବାର ଶେଷ ତରାବୀପାଠ ହୋଇଯାଇଛି। ମସଜିଦ ସବୁ ରାତି ସାରା ଖୋଲା ରହିଥିଲା। ମୁସଲମାନ୍ ପରିବାରର ଘରେ ଘରେ ଏବଂ ମସଜିଦରେ ସାରା ରାତି ଚାଲିଥିଲା ନମାଜ ପାଠ। ବୁଧବାର ସଞ୍ଜରେ ଚାନ୍ଦ ଦେଖିବା ପରେ ଗୁରୁବାର ଇଦ ପାଳନ ହେବ। ଇଦ୍ ଉଲ ଫିତର ପର୍ବ ପାଇଁ ମସଜିଦ୍ ସବୁ ସଜାଇ ଦିଆଯାଇଛି। ଇଦ ସକାଳୁ ଯେମିତି ମସଜିଦରେ ଭିଡ, ସନ୍ଧ୍ୟାରେ ବି ସେମିତି ବଜାର ଘାଟରେ ଗହଳି ଦେଖିବାକୁ ମିଳିବ। ସହରର ମୁସଲମାନ୍ ଘରେ ଘରେ ପର୍ବ ପାଳନର ହର୍ଷୋଲ୍ଲାସ। କଟକ ସହରରେ ଇଦ୍ଗାହ, ସାହି କିଲ୍ଲା, ଜାମା, ପଲଟନ୍, ସୁଲତାନିୟା, ତାତାର ଖାଁ, ଉଜାଲେ ଖାଁ ମସଜିଦ୍, କଦମ୍-ଏ-ରସୁଲ ସାହି ମସଜିଦ, ସେହିଭଳି କେଶରପୁରର ବଡି ଓ ଛୋଟି ମସଜିଦ, ନିମସାହି ମସଜିଦରେ, ମଙ୍ଗଳାବାଗର ଅହଲେ ସୁନ୍ନତ୍ ୱଲ୍ ଜମାତ୍ ରଜ୍ଜା ମସଜିଦ୍, ବାଲୁବଜାରର ଜାମା ମସଜିଦ୍, ଦରଘାବଜାରର ମୋତି ମସଜିଦ୍ ଆଦିରେ ହଜାର ହଜାର ନମାଜିଙ୍କ ଗହଳି ଲାଗିବ। ମୁସଲମାନ ଭାଇମାନେ ଏଠି ନମାଜ ପାଠ ପାଇଁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଗହଳି ଲଗାଇଥାନ୍ତି।
Powered by Froala Editor