୫ ମାସର ଶିଶୁକୁ ଛଡ଼ାଇ ନେଲା ନିଶାସକ୍ତ ବାପା, ଆଉ ମିଳୁନି ପତା
ଭୁବନେଶ୍ବର: ମା’ କୋଳରେ ହସଖୁସିରେ ଖେଳୁଥିଲା ୫ ମାସର ଶିଶୁ କନ୍ୟା। ଦୁନିଆ କହିଲେ ମା’ ମୁହଁକୁ ହିଁ ଚିହ୍ନିଥିଲା ସେ । ହେଲେ ପତିପତ୍ନୀ କଳିରେ ବଳି ପଡ଼ିଗଲା କଅଁଳା ଶିଶୁ। ମା’ କୋଳରୁ ୫ ମାସର ଛୁଆକୁ ଛଡ଼ାଇ ନେଲା ନିଶାସକ୍ତ ବାପା ।
ଗତକାଲି ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ପିଲାଟିର ସନ୍ଧାନ ପାଇ ପାରୁ ନାହାନ୍ତି ପରିବାର ଲୋକେ। ପୁଲିସ୍ ବି ଖୋଜି ଖୋଜି ନାକେଦମ ହେଲାଣି। ଫଳରେ ଛୁଆ ପାଖରୁ ଗାଏବ ହୋଇ ଯାଇଥିବା ବେଳେ ତାକୁ ଝୁରି ଝୁରି କାନ୍ଦୁଛି ମା’ ।
ଯେକୌଣସି ପ୍ରକାରେ ଛୁଆକୁ ଖୋଜି ବାହାର କରିବାକୁ ମା’ ଗୁହାରି କରୁଥିବା ବେଳେ ପୁଲିସ୍ ହୋଇଯାଇଛି ଅସହାୟ । ଛୁଆ ଗାଏବ ହେବାର ପ୍ରାୟ ୧୬ ଘଣ୍ଟା ହେବାକୁ ବସିଥିବା ବେଳେ ନିଶାସକ୍ତ ବ୍ୟକ୍ତିଙ୍କ ଖୋଜଖବର ପାଇ ପାରୁନି ପୁଲିସ୍ । ଏପରି ଏକ ଲୋମଟାଙ୍କୁରା ଘଟଣା ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଟେନସା ଟାଉନସିପରେ ଘଟିଛି।
ଟାଉନସିପ ଅଞ୍ଚଳରେ ରହୁଥିବା ପତିପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ କଳହ ଲାଗି ରହୁଥିଲା। ବ୍ୟକ୍ତିଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଆସୁଥିବା ବେଳେ ଏହାକୁ ନେଇ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେଉଥିଲା। ଗତକାଲି ସନ୍ଧ୍ୟା ବେଳେ ଏହି ଝଗଡ଼ା ଉଗ୍ର ରୂପ ଧାରଣ କରିବାରୁ ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କ କୋଳରୁ ଶିଶୁଟିକୁ ନେଇ ଫେରାର ହୋଇ ଯାଇଥିଲେ। ପରିବାର ଲୋକଙ୍କ ସମେତ ଆଖପାଖ ଲୋକେ ବହୁ ଖୋଜାଖୋଜି କରିବା ପରେ ବି ବ୍ୟକ୍ତିଙ୍କ ସନ୍ଧାନ ପାଇ ପାରି ନାହାନ୍ତି।
Powered by Froala Editor