ଭାଗ୍ୟର ଦୁର୍ଭାଗ୍ୟ : ପ୍ରେମିକ ମାରି ଦୟା ନଦୀରେ ଫିଙ୍ଗିଦେଲା

ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ପରେ ପ୍ରେମିକ ଯୁବତୀଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା କହାଯାଉଛି। ମୃତକ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବତୀ ବୋଲି ଜଣାପଡିଛି। ମୃତ ଯୁବତୀଙ୍କ ପ୍ରେମିକ ରାଜୁ ବଙ୍ଗାଳୀ ସହିତ ଧଉଳି ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି।
ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରାଜୁ ବଙ୍ଗାଳୀ ହେଉଛନ୍ତି ଜଣେ ଠିକାଦାର। ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ପକ୍କା ଘର ମରାମତି କାମ କରନ୍ତି। ଅଭିଯୋଗ ଅନୁସାରେ ତାଙ୍କ ପାଖରେ ଲେବର ଭାବେ କାମ କରୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ହୀନ ଡାକୁଆ। ତେଣୁ ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା। ହୀନଙ୍କ ଘରକୁ ଯିବା ଆସିବା ଭିତରେ ତାଙ୍କ ଝିଅ ଭାଗ୍ୟଙ୍କ ପ୍ରେମରେ ପଡ଼ିଯାଇଥିଲେ ରାଜୁ ବଙ୍ଗାଳୀ। ଭାଗ୍ୟ ମଧ୍ୟ ରାଜୁଙ୍କୁ ପ୍ରେମ କରୁଥିଲେ। ୪ ମାସ ତଳେ ରାଜୁଙ୍କ ସହିତ ଭାଗ୍ୟ ଘର ଛାଡ଼ି ପଳାଇ ଯାଇଥିଲେ। ହୀନ ଏ ସମ୍ପର୍କରେ ଜାଣି ଚୁପ୍ ରହିଥିଲେ।
ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡ଼ରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଗତ ୪ ତାରିଖ ସନ୍ଧ୍ୟା ବେଳେ ଭାଗ୍ୟ ବାପ ଘରକୁ ଫୋନ୍ କରିଥିଲେ। ଆଉ ମାଆଙ୍କୁ କହିଥିଲେ ୭ ତାରିଖରେ ଘରକୁ ଫେରୁଛନ୍ତି।
କିନ୍ତୁ ରବିବାର ରାତିରେ ରାଜୁ ଓ ତାଙ୍କର ୨ ସହଯୋଗୀ ଭାଗ୍ୟଙ୍କୁ ଧରି ଦୁଇଟି ବାଇକ୍ରେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲେ। ବାଇକ୍ରେ ବସିଥିବା ବେଳେ ଭାଗ୍ୟଙ୍କ ଗୋଡ଼ ଘୁଷୁରୁଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ରାଜୁ ଓ ତାଙ୍କ ସହଯୋଗୀମାନେ କିଛି ଶୁଣିନଥିଲେ। ଦ୍ରୁତ ଗତିରେ ଦୟା ନଦୀ ଅଭିମୁଖେ ପଳାଇ ଯାଉଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡ଼ାଇଥିଲେ।
ଦୟା ନଦୀ କୂଳ ମାଟି ରାସ୍ତାରେ ରାଜୁ ଓ ତାଙ୍କ ସାଥୀଙ୍କ ବାଇକ୍ର ଚକା ସ୍ଲିପ୍ କରିଥିଲା। ଯାହାଫଳରେ ସେମାନେ ପଡ଼ି ଯାଇଥିଲେ। ଧରା ପଡ଼ିଯିବା ଭୟରେ ଭାଗ୍ୟ ଓ ବାଇକ୍କୁ ଛାଡ଼ି ରାଜୁ ଏବଂ ତାଙ୍କ ସାଥୀମାନେ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଧଉଳି ଥାନା ପୋଲିସକୁ ଖବର ଦେଇଥିଲେ। ଧଉଳି ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
Powered by Froala Editor