ଆଜି ହେଉଛି ପବିତ୍ର ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ପ୍ରତିବର୍ଷ ଗର୍ବିତ ଓଡ଼ିଆମାନେ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଥା’ନ୍ତି। ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଓ ବହୁତ ପରିଶ୍ରମ ପରେ ୮୮ ବର୍ଷ ତଳେ ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ତା’ ଆଗରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସ୍ୱତନ୍ତ୍ର ରାଜନୀତିକ ପରିଚୟ ନ ଥିଲା କହିଲେ ଚଳେ। ବିଭିନ୍ନ ଅଞ୍ଚଳ ବ୍ରିଟିଶ ଅମଳର ବିଭିନ୍ନ ପ୍ରେସିଡେନସିରେ ମିଶି ରହିଥିଲା। ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳ ସେତେବେଳର ମାଡ୍ରାସ ପ୍ରେସିଡେନସିରେ ମିଶି ରହିଥିବା ବେଳେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ବିହାର ଓ କୋଲକାତା ସହିତ ମିଶିଥିଲା। ପଶ୍ଚିମରେ ମଧ୍ୟ ସେହିଭଳି ସ୍ଥିତି ଥିଲା।
ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଭୂଲୁଣ୍ଠିତ ହୋଇଥିଲା। ସେହି ସମୟରେ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ପରି ବହୁ ବରପୁତ୍ରସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାକୁ ସଂଗ୍ରାମ କରିଥିଲେ। ସେମାନଙ୍କର ଉଦ୍ୟମ ଫଳବତୀ ହୋଇଥିଲା ୧୯୩୬ ଏପ୍ରିଲ ପହିଲାରେ। ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ରାଜ୍ୟ ଗଠନର ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତ ଓଡ଼ିଶାବାସୀ ସ୍ମରଣ କରୁଛନ୍ତି।
Powered by Froala Editor