ଛୁରୀ ଭୁଷି ନିର୍ମମ ହତ୍ୟା : ଶୋଇବା ଘରୁ ମହିଳା ନେତ୍ରୀଙ୍କ ମୃତଦେହ ଉଦ୍ଧାର
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସୁହେଲଦେବ ସମାଜ ପାର୍ଟିର ମହିଳା ନେତ୍ରୀ ନନ୍ଦିନୀ ରାଜଭରଙ୍କୁ ଛୁରୀ ଭୁଷି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣା ଖଲିଲବାବାଦ କୋତବାଲି ଥାନା ଅଞ୍ଚଳସ୍ଥ ଡିଘା ନିକଟରେ ଘଟିଛି। ଗତ ରବିବାର ରାତିରେ ନନ୍ଦିନୀ ସୁହେଲଦେବଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଶୋଇବା ଘରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପୁଲିସ ନନ୍ଦିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
କିଛି ବର୍ଷ ହେବ ନନ୍ଦିନୀ ସୁହେଲଦେବ ସମାଜ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ। ପାର୍ଟି ତରଫରୁ ତାଙ୍କୁ ଦଳର ମହାସଚିବ ପଦରେ ବି ବସା ଯାଇଥିଲା। ନନ୍ଦିନୀଙ୍କ ଶାଶୁଙ୍କ କହିବାନୁଯାୟୀ, ଗତକାଲି ଅପରାହ୍ନ ୪ଟା ପରେ ସେ ଘରେ ପହଞ୍ଚିଥିଲେ। ଘର କବାଟ ଖୋଲାଥିବା ବେଳେ ସେ ଭିତରକୁ ଯାଇ ନନ୍ଦିନୀଙ୍କୁ ଡାକିଥିଲେ । ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ତାଙ୍କ ରୁମ୍କୁ ଯାଇ ତାହା ଅନ୍ଧାର ଥିବା ବେଳେ ତଳେ ନନ୍ଦିନୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ରୁମ୍ର ଲାଇଟ୍ ଦେବା ପରେ ନନ୍ଦିନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ।
ଗତ କିଛି ଦିନ ହେବ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍ ଆସୁଥିବା ସେମାନେ ପୁଲିସ୍କୁ କହିଛନ୍ତି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମହିଳା ନେତ୍ରୀଙ୍କୁ କେଉଁମାନେ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି।
Powered by Froala Editor