ଇଟାରେ ଛେଚି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ କମିଶନରେଟ୍ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। କିଭଳି ଓ କାହିଁକି ଏହି ହତ୍ୟା କାଣ୍ଡ ଘଟିଛି ସେ ବିଷୟରେ ସବିଶେଷ ତଥ୍ୟ ଜଣାପଡିନାହିଁ । ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ ଶ୍ରେଣିର । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଫଳରେ ଅନ୍ୟ ଜଣେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡି଼ଛି ।
ଲୋକଙ୍କ କହିବା ଅନୁସାରେ, ରାଜମହଲ-ଶିଶୁଭବନ ରାସ୍ତା ପାର୍ଶ୍ୱରେ ଦୁଇ ଜଣ ଯୁବକଙ୍କ କଥା କଟାକଟି ହୋଇଥିଲେ। ପାଖାପାଖି ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଭିତରେ ଜଣେ ଅନ୍ୟ ଜଣକୁ ଏକ ଇଟାରେ ଛେଚି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ରାସ୍ତା ଉପରକୁ ପଳାଇ ଆସିଥିଲେ। ସେତିକିବେଳେ ଆକ୍ରମଣ କରିଥିବା ଯୁବକ ଜଣକ ଧାଇଁ ପଳାଇ ଯାଇଥିଲା।
କମିଶନରେଟ୍ ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ମେଡିକାଲ୍ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଓ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିକୁ ଅଟକ ରଖିଛି।
Powered by Froala Editor