ବଜେଟ: ଏହା କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିଛନ୍ତି ।
ସେ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଚାଲୁ ରହିଛି । ସବକା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି । ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି । ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି ।
୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ ପ୍ରତିଷ୍ଠା ହୋଇଛି । ୧୩ଟି ଏମସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସେହିପରି ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେ, ପି- ପରଫରମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
Powered by Froala Editor